Latest Odisha News

BREAKING NEWS

Three Meals A Day: ସାବଧାନ! ଦିନକୁ ୩ ଥର ଖାଉଛନ୍ତି କି?

() ରହିଯାଆନ୍ତୁ…ସକାଳ, ସନ୍ଧ୍ୟା, ରାତି…. ଦିନକୁ ୩ ଥର ଖାଉଛନ୍ତି କି? ଜାଣନ୍ତୁ କ’ଣ କହିଲେ FSSAI ସିଇଓ…

ସକାଳେ ଜଳଖିଆ, ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଏବଂ ରାତିରେ ରାତ୍ରି ଭୋଜନ, ସାଧାରଣତଃ ଦିନକୁ ତିନିଥର ଖାଇବା ଆମ ଜୀବନର ଏକ ସାଧାରଣ ଅଭ୍ୟାସ। ଅନ୍ୟ ସମୟରେ ଖାଦ୍ୟ ଗ୍ରହଣ କରୁ କି ନ କରୁ, ଏହି ୩ ଟି ସମୟରେ ମୁଖ୍ୟତଃ ଆମେ ଖାଦ୍ୟ ଗ୍ରହଣ କରୁ ଏବଂ ଘରେ ମଧ୍ୟ ସେହି ହିସାବରେ ଖାଇବା ପ୍ରସ୍ତୁତ କରାଯାଏ । ହେଲେ କାହିଁକି? ଭାରତୀୟ ପରମ୍ପରାରେ କ’ଣ ସତରେ ଦିନକୁ ତିନିଥର ଖାଇବାର ନିୟମ ରହିଛି? ନିକଟରେ FSSAIର ସିଇଓ ରଜିତ ପୁନହାନୀଙ୍କ ଏକ ବୟାନ ପରେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨ ସେପ୍ଟେମ୍ବର ୨୦୨୬ରେ ଏକ ସାକ୍ଷାତକାରରେ FSSAI ସିଇଓ କହିଥିଲେ ଯେ, ଭାରତୀୟ ପରମ୍ପରାରେ ନିର୍ଦ୍ଧାରିତ ଭାବେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର, ଏହି ତିନିଟି ଭୋଜନର ପ୍ରଚଳନ ନଥିଲା। ତାଙ୍କ ଅନୁସାରେ, ପାରମ୍ପରିକ ଭାବେ ଦୁଇଥର ଭୋଜନ କରିବାର ପ୍ରଥା ଅଧିକ ଥିଲା। FSSAIର ‘ଠିକ୍ ଥାଳି ଖାଇବା (Eat Right Thali)’ ଅଭିଯାନରେ ମଧ୍ୟ ଘରୋଇ ଏବଂ ସ୍ଥାନୀୟ ଖାଦ୍ୟକୁ ଗୁରୁତ୍ୱ ଦିଆଯାଉଛି। ୨୦୨୫ରେ FSSAI ପକ୍ଷରୁ ପ୍ରକାଶିତ ୪୨୪ ପୃଷ୍ଠାର ଏକ ପୁସ୍ତକରେ ୨୯ଟି ରାଜ୍ୟର ପାରମ୍ପରିକ ଥାଳି ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଏଥିରେ ଅନେକ ପାରମ୍ପରିକ ଭାରତୀୟ ଖାଦ୍ୟରେ ଶସ୍ୟ, ଡାଲି, ମସଲା, ଋତୁକାଳୀନ ପନିପରିବା, ଫଳ ଏବଂ କ୍ଷୀରଜାତ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି।

ତେବେ ପୌରାଣିକ ତଥ୍ୟ ଅନୁସାରେ, ତୈତ୍ତିରୀୟ ବ୍ରାହ୍ମଣ, ବିଭିନ୍ନ ଧର୍ମସୂତ୍ର ଓ ସ୍ମୃତିଗ୍ରନ୍ଥରେ ଦିନକୁ ଦୁଇଥର ଭୋଜନ ସମ୍ପର୍କରେ ନିୟମର ଉଲ୍ଲେଖ ମିଳେ। ଗୌତମ ଧର୍ମସୂତ୍ର, ବୌଧାୟନ ଧର୍ମସୂତ୍ର, ମନୁସ୍ମୃତି ଓ ସମ୍ବର୍ତ୍ତ ସ୍ମୃତିରେ ମଧ୍ୟ ଗୃହସ୍ଥଙ୍କ ଦୁଇଥର ଭୋଜନ କରିବା ଏବଂ ମଝିରେ ନଖାଇବା ସମ୍ପର୍କରେ ଉଲ୍ଲେଖ ଥିବା ଦାବି କରାଯାଇଛି। ମହାଭାରତର ଶାନ୍ତି ପର୍ବରେ ମଧ୍ୟ ଭୀଷ୍ମ ପିତାମହଙ୍କ ଉପଦେଶରେ ସକାଳ ଓ ସନ୍ଧ୍ୟା, ଦୁଇ ସମୟରେ ଭୋଜନ କରିବାର ଉଲ୍ଲେଖ ଥିବା କୁହାଯାଇଛି। ଏହା ସହ ସୁଶ୍ରୁତ ସଂହିତାରେ ମଧ୍ୟ ଦିନର ଭିନ୍ନ ସମୟ ଅନୁସାରେ ଦୁଇଥର ଭୋଜନର ନିୟମ ବିଷୟରେ ଆଲୋଚନା ରହିଛି। ତେବେ ଏହି ନିୟମ ସମସ୍ତଙ୍କ ପାଇଁ ସମାନ ନଥିଲା ବୋଲି ମଧ୍ୟ ଉଲ୍ଲେଖ ରହିଛି।

ତା ହେଲେ ଦିନକୁ ୩ ଥର ଖାଇବାର ଯୋଉ ପ୍ରକ୍ରିୟା କେମିତି ଆଗକୁ ବଢ଼ିଲା? ତେବେ ବ୍ରିଟିଶ ଶାସନ ସମୟରେ ପାଶ୍ଚାତ୍ୟ ଖାଦ୍ୟ ଅଭ୍ୟାସର ପ୍ରଭାବ ବଢ଼ିବା ସହ ତିନିଥର ଭୋଜନର ଚଳଣ ଭାରତରେ ବଢ଼ିଥିଲା। ପରେ ଶିଳ୍ପାୟନ, କାରଖାନା ଓ ଅଫିସ୍‌ର ନିର୍ଦ୍ଧାରିତ କାମ ସମୟ ଅନୁସାରେ ଲଞ୍ଚ ବ୍ରେକ୍‌ ଭଳି ବ୍ୟବସ୍ଥା ଲୋକଙ୍କ ଖାଦ୍ୟ ଅଭ୍ୟାସକୁ ପ୍ରଭାବିତ କରିଥିବା କୁହାଯାଇଛି। ଏହା ସହ ପ୍ୟାକେଜ୍‌ଡ ଫୁଡ୍‌ ଶିଳ୍ପର ବିକାଶ ମଧ୍ୟ ନାସ୍ତା ଓ ମଝିରେ ସ୍ନାକ୍ସ ଖାଇବାର ଅଭ୍ୟାସ ବଢ଼ାଇଥିବା ଦାବି କରାଯାଇଛି।

ଆଜିକାଲି ‘ଇଣ୍ଟରମିଟେଣ୍ଟ ଫାଷ୍ଟିଂ’ ନାମରେ ଖାଇବା ଓ ଉପବାସ ମଧ୍ୟରେ ନିର୍ଦ୍ଧିଷ୍ଟ ସମୟର ବ୍ୟବଧାନ ରଖିବା ନେଇ ଚର୍ଚ୍ଚା ବଢ଼ିଛି। ପ୍ରାଚୀନ ଭାରତୀୟ ଖାଦ୍ୟ ପରମ୍ପରାରେ ମଧ୍ୟ ଭୋଜନ ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ରଖିବାକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି।

ତେବେ ଦିନକୁ କେତେଥର ଖାଇବା ଆବଶ୍ୟକ? ୨ ଥର, ୩ ଥର ନା ତାହାଠାରୁ ଅଧିକ…? ତେବେ ଦିନକୁ କେବଳ ଏକ ନିର୍ଦ୍ଦିଷ୍ଟ ଥର ଖାଇବା ସମସ୍ତଙ୍କ ପାଇଁ ଠିକ୍, ଏଭଳି ନିଷ୍କର୍ଷ କରିବା ଠିକ୍ ନୁହେଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର, ବୟସ, ଦୈନନ୍ଦିନ କାର୍ଯ୍ୟକଳାପ ଓ ପୋଷଣ ଆବଶ୍ୟକତା ଅଲଗା। ଅଧିକ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ କିମ୍ବା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କ ପୋଷଣ ଆବଶ୍ୟକତା ଭିନ୍ନ ହୋଇପାରେ। ତେଣୁ ନିଜ ଶରୀର ଅନୁସାରେ ପୋଷକ କିମ୍ବା ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଆଉ ନିଜ ଖାଦ୍ୟ ଅଭ୍ୟାସରେ ବଡ଼ ପରିବର୍ତ୍ତନ କରିବା ପୂର୍ବରୁ ଯୋଗ୍ୟ ଡାକ୍ତର କିମ୍ବା ପୋଷଣ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।

Leave A Reply

Your email address will not be published.