ମସ୍କୋ: ଦୀର୍ଘ ସାଢ଼େ ୪ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର। ଆମେରିକାର ଦୁଇ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନର ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଭ୍ ଉପରେ ଆକ୍ରମଣ ୭୨ ଘଣ୍ଟା ପାଇଁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ରୁଷର ସରକାରୀ ଖବର ସଂସ୍ଥା TASSକୁ କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସକୋଭ୍ ଏହି ସୂଚନା ଦେଇଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନର ଶନିବାର ମସ୍କୋରେ ପହଞ୍ଚିଛନ୍ତି। ସେମାନେ ଯୁଦ୍ଧ ଶେଷ କରିବା ପାଇଁ ଏକ ଆମେରିକୀୟ ପ୍ରସ୍ତାବ ନେଇ ଆସିଥିବା କୁହାଯାଉଛି। ଶନିବାର ପୁଟିନଙ୍କ ସହ ସେମାନଙ୍କ ଆଲୋଚନା ହେବ। ଏହା ପରେ ରବିବାର ସେମାନେ କିଭ୍ ଯାଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବାର ଆଶା ରହିଛି।
ଏହା ପୂର୍ବରୁ ଜେଲେନସ୍କିଙ୍କ ମଧ୍ୟ ଆମେରିକୀୟ ଦୂତଙ୍କ ଯାତ୍ରା ସମୟରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଆକ୍ରମଣ ନକରିବାକୁ କହିଥିଲେ। ଏଥିସହ ରୁଷ ମଧ୍ୟ କିଭ୍ ଉପରେ ଆକ୍ରମଣ ବନ୍ଦ ରଖୁ ବୋଲି ସେ ଆହ୍ୱାନ କରିଥିଲେ। ଏବେ ପୁଟିନଙ୍କ ୭୨ ଘଣ୍ଟିଆ ଆଦେଶକୁ ଆଲୋଚନା ପାଇଁ ଏକ ଅସ୍ଥାୟୀ ବିରତି ଭାବେ ଦେଖାଯାଉଛି। ରୁଷ ୨୪ ଫେବୃଆରୀ ୨୦୨୨ରେ ୟୁକ୍ରେନ୍ ଉପରେ ପୂର୍ଣ୍ଣମାତ୍ରାରେ ସାମରିକ ଆକ୍ରମଣ ଆରମ୍ଭ କରିଥିଲା। ୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହି ଯୁଦ୍ଧକୁ ୧,୬୫୪ ଦିନ ପୂରିଛି, ଅର୍ଥାତ୍ ଏହା ଏବେ ପଞ୍ଚମ ବର୍ଷରେ ପ୍ରବେଶ କରିଛି।
ତେବେ ୭୨ ଘଣ୍ଟାର ଏହି ବିରତିକୁ ଯୁଦ୍ଧର ପୂର୍ଣ୍ଣଚ୍ଛେଦ ବୋଲି କହିହେବ ନାହିଁ। ଆଗାମୀ ଆଲୋଚନାରେ ପୁଟିନ୍, ଟ୍ରମ୍ପଙ୍କ ଦୂତ ଓ ଜେଲେନସ୍କିଙ୍କ ମଧ୍ୟରେ କେତେ ଦୂର ସମାଧାନର ରାସ୍ତା ବାହାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

