ବିବାହ ବେଦୀକୁ ଯିବା ପୂର୍ବରୁ କାହିଁକି ଭାଙ୍ଗିଥିଲା ଅକ୍ଷୟ-ଶିଳ୍ପାଙ୍କ ସମ୍ପର୍କ? ବର୍ଷ ବର୍ଷ ପରେ ଗୁମର ଖୋଲିଲେ ‘ଜାନୱାର’ ପ୍ରଯୋଜକ
ମୁମ୍ବାଇ: ୯୦ ଦଶକରେ ବଲିଉଡର ସବୁଠାରୁ ଚର୍ଚ୍ଚିତ ପ୍ରେମ କାହାଣୀ ମଧ୍ୟରେ ଅକ୍ଷୟ କୁମାର ଏବଂ ଶିଳ୍ପା ଶେଟ୍ଟୀଙ୍କ ସମ୍ପର୍କ ଥିଲା ଅନ୍ୟତମ । ଉଭୟଙ୍କ ପ୍ରେମ ଏତେ ନିବିଡ଼ ଥିଲା ଯେ, କଥା ବିବାହ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । କିନ୍ତୁ ହଠାତ୍ ଏହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଦୀର୍ଘ ବର୍ଷ ପରେ ଏବେ ଏହି ବହୁଚର୍ଚ୍ଚିତ ବ୍ରେକଅପ୍ର ଅସଲ କାରଣ ଉପରୁ ପରଦା ହଟାଇଛନ୍ତି ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ତଥା ପ୍ରଯୋଜକ ସୁନୀଲ ଦର୍ଶନ। ଏକ ସଦ୍ୟ ସାକ୍ଷାତକାରରେ ସେ ଉଭୟଙ୍କ ଅଧୁରା ପ୍ରେମ ଏବଂ ଅକ୍ଷୟଙ୍କ ସଂଘର୍ଷମୟ କ୍ୟାରିୟର ବିଷୟରେ ଅନେକ ରୋଚକ ତଥ୍ୟ ପ୍ରଦାନ କରିଛନ୍ତି ।
ସୁନୀଲ ଦର୍ଶନଙ୍କ ନିର୍ଦ୍ଦେଶିତ ୧୯୯୯ ମସିହାର ବ୍ଲକବଷ୍ଟର ଫିଲ୍ମ ‘ଜାନୱାର’ ସମୟର ସ୍ମୃତିକୁ ସତେଜ କରି ସେ କହିଛନ୍ତି ଯେ, ସେତେବେଳେ ଅକ୍ଷୟ ଏବଂ ଶିଳ୍ପାଙ୍କ ସମ୍ପର୍କ ଖୁବ୍ ମଜଭୁତ ଥିଲା। ଉଭୟ ବିବାହ କରିବା ନେଇ ପ୍ରାୟତଃ ମନସ୍ଥ କରିସାରିଥିଲେ। କିନ୍ତୁ କିଛି ଭୁଲ୍ ବୁଝାମଣା ଏବଂ ଶିଳ୍ପାଙ୍କ ପରିବାର ପକ୍ଷରୁ ରଖାଯାଇଥିବା କେତେକ ସର୍ତ୍ତ ଯୋଗୁଁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ଶିଳ୍ପାଙ୍କ ମାତାପିତା ନିଜ ଝିଅର ଭବିଷ୍ୟତ ତଥା ଆର୍ଥିକ ନିରାପତ୍ତାକୁ ନେଇ ବେଶ୍ ଚିନ୍ତିତ ଥିଲେ। ଏହି କାରଣରୁ ଦୁହିଁଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଥିଲା ।
ଏହି ବ୍ରେକଅପ୍ ପଛରେ ଅକ୍ଷୟଙ୍କ ତତ୍କାଳୀନ କ୍ୟାରିୟରର ଗ୍ରାଫ୍ ମଧ୍ୟ ଏକ ବଡ଼ କାରଣ ଥିଲା। ସୁନୀଲ ଦର୍ଶନ ଖୁଲାସା କରିଛନ୍ତି ଯେ, ୯୦ ଦଶକର ଶେଷ ଆଡ଼କୁ ଲଗାତାର ଫ୍ଲପ୍ ଫିଲ୍ମ ଦେବା କାରଣରୁ ଅକ୍ଷୟଙ୍କ କ୍ୟାରିୟର ଘୋର ସଙ୍କଟରେ ପଡ଼ିଥିଲା। ବକ୍ସ ଅଫିସରେ ତାଙ୍କର ଚାହିଦା କମିଯାଇଥିବାରୁ ପ୍ରଯୋଜକମାନେ ତାଙ୍କ ଉପରେ ପୁଞ୍ଜି ନିବେଶ କରିବାକୁ ପଛଘୁଞ୍ଚା ଦେଉଥିଲେ। ତେବେ ୧୯୯୯ରେ ମୁକ୍ତିଲାଭ କରିଥିବା ‘ଜାନୱାର’ ଅକ୍ଷୟଙ୍କ ବୁଡ଼ିଯାଉଥିବା କ୍ୟାରିୟରକୁ ପୁଣି ଥରେ ସଞ୍ଜୀବନୀ ଦେଇଥିଲା ଏବଂ ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଏହା ପରେ ‘ହେରା ଫେରି’ ଏବଂ ‘ଧଡ଼କନ୍’ ଭଳି ଫିଲ୍ମ ତାଙ୍କୁ ପୁଣିଥରେ ସୁପରଷ୍ଟାର୍ ଆସନରେ ବସାଇଥିଲା ।
ସମ୍ପର୍କ ଭାଙ୍ଗିବା ପରେ ଉଭୟ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ । ଅକ୍ଷୟ କୁମାର ୨୦୦୧ ମସିହାରେ ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ବିବାହ କରିଥିବା ବେଳେ, ଶିଳ୍ପା ଶେଟ୍ଟୀ ୨୦୦୯ ମସିହାରେ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ନିଜର ଜୀବନସାଥୀ ଭାବେ ବାଛିଥିଲେ । ତେବେ ଏତେ ବର୍ଷ ପରେ ସୁନୀଲ ଦର୍ଶନଙ୍କ ଏହି ଖୁଲାସା ବଲିଉଡ୍ ପ୍ରଶଂସକଙ୍କ ମଧ୍ୟରେ ପୁଣି ଥରେ ପୁରୁଣା ସ୍ମୃତିକୁ ତାଜା କରିଦେଇଛି ।

