ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍ଡିଓ) ଦ୍ୱାରା ଓଡ଼ିଶା ଉପକୂଳସ୍ଥିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। । ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍) ପକ୍ଷରୁ ନିୟୋଜିତ ବିଭିନ୍ନ ରେଞ୍ଜ ଯନ୍ତ୍ରପାତି ମାଧ୍ୟମରେ ସଂଗୃହୀତ ପରୀକ୍ଷଣ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର ସମସ୍ତ ନିର୍ଦ୍ଧାରିତ ପରୀକ୍ଷଣ ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ସ୍ପଷ୍ଟ ହୋଇଛି।
ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମସ୍ତ ନିର୍ଦ୍ଧାରିତ ପାରାମିଟରକୁ ସଫଳତାର ସହ ପୂରଣ କରିଛି। ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଥିବା ବିଭିନ୍ନ ଉପକରଣରୁ ମିଳିଥିବା ତଥ୍ୟ ଏହାର ସଫଳତାକୁ ନିଶ୍ଚିତ କରିଛି। ୧୫୦ କିଲୋମିଟରରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ପରିସର ସହିତ, ଏହି କ୍ଷେପଣାସ୍ତ୍ର ପ୍ରାୟ ମାକ୍ ୫ ରୁ ମାକ୍ ୬.୧ ପର୍ଯ୍ୟନ୍ତ ହାଇପରସୋନିକ୍ ଟର୍ମିନାଲ ଗତିରେ ପହଞ୍ଚିପାରିବ ଏବଂ ୫୦ କିଲୋଗ୍ରାମରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ୍ ବହନ କରିପାରିବ।
ହାଇଦ୍ରାବାଦର ଇମାରତ ଗବେଷଣା କେନ୍ଦ୍ର ସହିତ ଅନ୍ୟ ଡିଆରଡିଓ ପରୀକ୍ଷାଗାର ସ୍ୱଦେଶୀ ଭାବରେ ଏହି କ୍ଷେପଣାସ୍ତ୍ର ବିକଶିତ କରିଛି। ବିକାଶ ଏବଂ ଉତ୍ପାଦନ ଭାଗୀଦାରମାନଙ୍କ ମଧ୍ୟରୁ ଅନ୍ୟତମ, ଭାରତ ଡାଇନାମିକ୍ସ ଲିମିଟେଡ୍ ଏହି ପ୍ରଣାଳୀ ଉତ୍ପାଦନ କରିଛି। ଉପଭୋକ୍ତା ମୂଲ୍ୟାଙ୍କନ ପରୀକ୍ଷଣର ଅଂଶ ଭାବରେ ଡିଆରଡିଓର ବରିଷ୍ଠ ଅଧିକାରୀ, ଶିଳ୍ପ ଏବଂ ପ୍ରତିରକ୍ଷା ବାହିନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପରେ କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ବାହିନୀରେ ସାମିଲ କରିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାର ପଥ ପରିଷ୍କାର ହୋଇଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ପ୍ରତିରକ୍ଷା ବାହିନୀ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ଉଦୀୟମାନ ବିପଦଗୁଡ଼ିକ ବିରୁଦ୍ଧରେ ସେନାବାହିନୀର ବୈଷୟିକ କ୍ଷମତା ଏବଂ କାର୍ଯ୍ୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ। ରକ୍ଷା ସଚିବ, ରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ରାଜେଶ କୁମାର ସିଂହ ଏହି ସଫଳ ଉଡ଼ାଣ ପରୀକ୍ଷଣ ସହ ଜଡ଼ିତ ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।
