Latest Odisha News

BREAKING NEWS

ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ! ମାଡ଼ି ଆସୁଛି ଆଉ ଏକ ସିଷ୍ଟମ୍‌, ୧୩ରେ ଲଘୁଚାପ

ଭୁବନେଶ୍ୱର: ଦୁଇଟି ବାତ୍ୟା ଗଲାଣି। ଆସୁଛି ଆଉ ଗୋଟେ ବାତ୍ୟା। ନଭେମ୍ବର ୧୫ ଆଡକୁ ଆସିପାରେ ନୂଆ ବାତ୍ୟା। ବଙ୍ଗୋପସାଗରରେ ପୁଣି ଲଘୁଚାପ ଦାନା ବାନ୍ଧିବା ନେଇ ଆକଳନ କରାଯାଉଛି। ବିଭିନ୍ନ ମଡେଲ୍‌ର ଆକଳନକୁ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବିସ୍ତାରିତ ୭ରୁ ହାଲୁକା ଶୀତ ପୂର୍ବାନୁମାନରେ ସୂଚାଇଛି। ସମ୍ଭବତଃ ୧୧ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

ଏହା ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ। ସ୍ୱଳ୍ପ ସମ୍ଭାବନା ରହିଛି ଯେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହା ୧୫ ତାରିଖ ବେଳକୁ ଏକ ଅବପାତରେ ପରିଣତ ହୋଇପାରେ। ଏହାର ଗତିପଥ, ତୀବ୍ରତା ନେଇ ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ। ବିଶେଷଜ୍ଞଙ୍କ ମତରେ ସାଧାରଣତଃ ନଭେମ୍ବର ମାସରେ ସୃଷ୍ଟି ହେଉଥିବା ଅବପାତ କିମ୍ବା ବାତ୍ୟା ଓଡ଼ିଶା ଉପକୂଳ ଆଡ଼କୁ ଆସିବା ସମ୍ଭାବନା କମ୍‌ ରହିଥାଏ।

ଅଧିକାଂଶ ସମୟରେ ଏହାର ଗତି ତାମିଲନାଡ଼ୁ କିମ୍ବା ଆନ୍ଧ୍ର ଉପକୂଳ ଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ସେଥିରେ ଓଡ଼ିଶା ଆଡ଼କୁ ଏହାର ଗତିପଥ ରହିବା ସମ୍ଭାବନା କମ୍‌। ମାତ୍ର ଏତେ ଆଗରୁ ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ। ଏପରିକି ଏହା ମିଆଁମାର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବନ୍ୟା ଏବଂ କ୍ଷୟକ୍ଷତି ଘଟିଛି । ଗଞ୍ଜାମର ପାତ୍ରପୁରଠାରେ ୨୪ ଘଣ୍ଟାରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ କରାଯାଇଥିଲା । ଅର୍ଣ୍ଣବର କ୍ଷତ ନଶୁଖୁଣୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ବାତ୍ୟା ‘ମୁରାସୁ’ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହୋଇଥିଲା, ଯାହାଫଳରେ ଓଡ଼ିଶା ବଡ଼ ବିପଦରୁ ରକ୍ଷା ପାଇଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଆଗୁଆ ସତର୍କତା ସ୍ୱରୂପ ବ୍ୟାପକ ସ୍ଥାନାନ୍ତରଣ କରାଯାଇଥିଲା।

ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ୭ ତାରିଖରୁ ରାଜ୍ୟରେ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ ଖସିପାରେ। କନ୍ଧମାଳ, ଗଜପତି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ। ଅନ୍ୟପଟେ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ସେଲସିୟସ୍‌ ଭିତରେ ରହିପାରେ।

Leave A Reply

Your email address will not be published.