ଭୁବନେଶ୍ୱର: ଓଡ଼ିଶାରେ ଚଳିତ ଖରିଫ ଋତୁ (୨୦୨୬-୨୭) ପାଇଁ ଧାନ କିଣାରେ ରେକର୍ଡ ସୃଷ୍ଟି ହୋଇଛି। ୨୧.୪୨ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇ ସାରିଥିବା ବେଳେ ଯେଉଁମାନେ ପଞ୍ଜୀକରଣ କରିନଥିଲେ, ସେମାନଙ୍କ ପାଇଁ କାଲି ରାତି ଯାଏଁ ଶେଷ ସୁଯୋଗ ଥିଲା। ହେଲେ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେହିପରି ରାଜ୍ୟରେ ଏଥର ସର୍ବକାଳୀନ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ମୋଟ ୨୨ ଲକ୍ଷ ୨୮ ହଜାର ଚାଷୀ ସେମାନଙ୍କ ଧାନ ବିକ୍ରି କରିବା ପାଇଁ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷ ୬୭ ହଜାର ଥିଲା । ଅର୍ଥାତ୍ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୨ ଲକ୍ଷ ୬୧ ହଜାରରୁ ଅଧିକ ନୂଆ ଚାଷୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ଅଦିନିଆ ପ୍ରବଳ ବର୍ଷା ଯୋଗୁଁ ଅନେକ ଚାଷୀ ନିର୍ଦ୍ଧାରିତ ସମୟ (ଅଗଷ୍ଟ ୩୧) ସୁଦ୍ଧା ପଞ୍ଜୀକରଣ କରିପାରିନଥିଲେ। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏବେ ଏହି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି। ଏହି ରେକର୍ଡ ସଂଖ୍ୟକ ପଞ୍ଜୀକରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱ ଓ ସରକାରଙ୍କ କୃଷକ କଲ୍ୟାଣକାରୀ ନୀତି ପ୍ରତି ଚାଷୀଙ୍କ ଅଗାଧ ଭରସାର ପ୍ରତିଫଳନ ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ, ସ୍ୱଚ୍ଛ ଧାନ କ୍ରୟ ବ୍ୟବସ୍ଥା ଏବଂ ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଆମେ ସମସ୍ତ ପଞ୍ଜୀକୃତ ଯୋଗ୍ୟ ଚାଷୀଙ୍କଠାରୁ ନିଶ୍ଚିତ ଭାବେ ଧାନ କିଣିବୁ। କୌଣସି ଜଣେ ହେଲେ ବି ଯୋଗ୍ୟ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ।

