Latest Odisha News

BREAKING NEWS

MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି

ଭୁବନେଶ୍ୱର:MMDR ପ୍ରସଙ୍ଗରେ ସିରିଜ୍ ପ୍ରେସମିଟ୍ ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି। ଆଜି ଲୋକଭବନ ଆଗରେ ଦଳ ବଡ଼ ବିକ୍ଷୋଭ କରି ଏହି ଆଇନ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି। ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିନିଧି ଦଳ ରାଜଭବନରେ ପହଞ୍ଚି ରାଷ୍ଟ୍ରପତିଙ୍କ ନିକଟରେ ରାଜ୍ୟର ଯଥାର୍ଥ ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟପଟେ ବିକ୍ଷୋଭ ସ୍ଥଳରେ କିନ୍ତୁ ବିଜେଡିର ବହୁ ହେଭିୱେଟ୍ ନେତାଙ୍କ ଅନୁପସ୍ଥିତି ଦଳ ଭିତରେ ଥିବା ଫାଟକୁ ସ୍ପଷ୍ଟ କରିଛି।

ବିଜେଡି ଦାବି କରିଛି ଯେ ଏମଏମଡିଆର ସଂଶୋଧିତ ଆଇନ ଲାଗୁ ହେଲେ ରାଜ୍ୟ ରାଜସ୍ବ ହରାଇବ। ରାଜ୍ୟର ମାଟି, ରାଜ୍ୟର ଖଣି ଖୋଳା ହେବ, ବିସ୍ଥାପିତ ହେବେ ଲୋକେ, କିନ୍ତୁ ରାଜ୍ୟର କିଛି ହକ ରହିବ ନାହିଁ। ଏପରିକି ରାଜ୍ୟର ବିକାଶ ବାଟବଣା ହୋଇଯିବ। ଦଳର ନେତାମାନେ ବିଜେପିକୁ ଓଡ଼ିଶା ବିରୋଧୀ ବୋଲି ଦର୍ଶାଇ ତୁରନ୍ତ ଏ କଳା ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଅନ୍ୟପଟେ ବିଜେପି କହିଛି, ବିଜୁ ଜନତା ଦଳ ଏମଏମଡିଆର ଆଇନ ନେଇ କହିବା ହାସ୍ୟାସ୍ପଦ କଥା। ଓଡ଼ିଶାର ଅଧିକାର ଓ ଖଣି ରାଜସ୍ବକୁ ନେଇ ଲୋକଙ୍କ ମଧ୍ୟରେ ଅଯଥା ଭୟ ସୃଷ୍ଟି କରୁଛି ବିଜେଡ଼ି। ‘କେନ୍ଦ୍ର ସବୁ ନେଇଗଲା’ ବୋଲି ଏକ ଭ୍ରମ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଭିନ୍ନ ବାତାବରଣ ତିଆରି କରୁଛି । ଓଡ଼ିଶା ଯେତିକି ଭାଗ ପାଇବା କଥା, ତାର ସେତିକି ଭାଗ ପାଇବ, ଗୋଟିଏ ପର୍ସେଣ୍ଟ ମଧ୍ୟ ଭାଗ ଓଡ଼ିଶାର କମିବ ନାହିଁ। ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ସରକାର ଥିଲା। ଏହି ସମୟ ମଧ୍ୟରେ ଖଣି ରୟାଲିଟି ଓ ଖଣି ଟିକସ କେତେ ବୃଦ୍ଧି ପାଇଥିଲା, ୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ, ଯେତେବେଳେ ଆମେ ହଜାରେ କୋଟି ଟଙ୍କା ଦେଖିବା ସ୍ବପ୍ନ ଥିଲା, ସେତେବେଳେ ରାଜ୍ୟ ୫୦ ହଜାର କୋଟି ଟଙ୍କା ପାଇଲା। ବିଜେଡି କେବଳ ଭୁଆଁ ବୁଲାଉଛି ବୋଲି ବିଜେପି ଅଭିଯୋଗ କରିଛି।

Leave A Reply

Your email address will not be published.