ଚଟ୍ଟଗ୍ରାମ: ବାଂଲାଦେଶ ସେନାର ଏକ ସାମରିକ ଅଭ୍ୟାସ ସମୟରେ ଅଘଟଣ ।ଚଟ୍ଟଗ୍ରାମସ୍ଥିତ ହାଥାଜାରୀ ଫିଲ୍ଡ ଫାୟାରିଂ ରେଞ୍ଜରେ ଗୁଳିଚାଳନା ଅଭ୍ୟାସ ଚାଲିଥିବା ବେଳେ ଚୀନ୍ ନିର୍ମିତ ‘ଟାଇପ୍-୫୯’ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କରେ ହଠାତ୍ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ବାଂଲାଦେଶୀ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସେନା ଅଫିସର ଗୁରୁତର ଭାବେ ଆହତ ହୋଇଛନ୍ତି।
ଗୁରୁତର ଅଫିସର ଏୟାରଲିଫ୍ଟ
ସେନାର ଆନ୍ତଃ-ସେବା ଜନସମ୍ପର୍କ ନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ, ଅଭ୍ୟାସ ସମୟରେ ଟ୍ୟାଙ୍କରୁ ଗୋଳା ବାରୁଦ ନିକ୍ଷେପ କରାଯାଉଥିବା ବେଳେ ଏହି ଅପ୍ରତ୍ୟାଶିତ ବିସ୍ଫୋରଣ ଘଟିଥିଲା। ଆହତ ଅଫିସରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଢାକାସ୍ଥିତ ସାମରିକ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି।
ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ – ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୋଳାବାରୁଦରେ ତ୍ରୁଟି, ଯାନ୍ତ୍ରିକ ଗୋଳମାଳ କିମ୍ବା ଟ୍ୟାଙ୍କର ଆଭ୍ୟନ୍ତରୀଣ ବୈଷୟିକ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ଘଟିଛି କି ନାହିଁ, ସେ ନେଇ ବାଂଲାଦେଶ ସେନା ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି।
‘ଟାଇପ୍-୫୯’ ହେଉଛି ସୋଭିଏତ୍ ରୁଷର ‘T-54’ ଆଧାରରେ ଚୀନ୍ ଦ୍ୱାରା ପ୍ରସ୍ତୁତ ଏକ ପୁରୁଣା ମଡେଲର ଟ୍ୟାଙ୍କ, ଯାହାକୁ ବାଂଲାଦେଶ ସେନା ବହୁ ବର୍ଷ ହେବ ବ୍ୟବହାର କରିଆସୁଛି। ଏହି ବିସ୍ଫୋରଣ ପରେ ବାଂଲାଦେଶ ସେନାରେ ନିୟୋଜିତ ଚୀନ୍ ନିର୍ମିତ ସାମରିକ ସରଞ୍ଜାମ, ଏହାର ଗୁଣବତ୍ତା ଏବଂ ମରାମତି ସୁରକ୍ଷାକୁ ନେଇ ପୁଣି ଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

