ପୁରୀ ଏସବିଆଇ ଲକର୍ରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ: ଅବସରପ୍ରାପ୍ ପ୍ରଧାନଶିକ୍ଷୟିତ୍ରୀଙ୍କ ଥାନାରେ ଏତଲା
ପୁରୀ: ସହରର ଏକ ପ୍ରମୁଖ ରାଷ୍ଟ୍ରୀୟକୃତ ବ୍ୟାଙ୍କ ଲକର୍ରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ବ୍ୟାଙ୍କ ଗ୍ରାହକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି । ଜଣେ ଅବସରପ୍ରାପ୍ ପ୍ରଧାନଶିକ୍ଷୟିତ୍ରୀ ନିଜର ଜମା ସୁନା ଅଳଙ୍କାର ଲକର୍ରୁ ଗାଏବ ଥିବା ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ପୁରୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗଜପତି ନଗରର ବାସିନ୍ଦା ତଥା ଜଣେ ଅବସରପ୍ରାପ୍ ପ୍ରଧାନଶିକ୍ଷୟିତ୍ରୀ ଆଶାଲତା ଦେଇ ଗତ ୨୦୨୫ ମସିହା ଜୁନ୍ ୧୬ ତାରିଖରେ ସ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୀ ମୁଖ୍ୟ ଶାଖାରେ ଏକ ଲକର୍ ଭଡ଼ାରେ ନେଇଥିଲେ । ସେଠାରେ ସେ ନିଜର କଷ୍ଟଅର୍ଜିତ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟବାନ ସୁନା ଅଳଙ୍କାର ସୁରକ୍ଷିତ ଭାବେ ରଖିଥିଲେ। ଏଥିପାଇଁ ସେ ବ୍ୟାଙ୍କରେ ୧୫ ହଜାର ଟଙ୍କାର ଏକ ଫିକ୍ସଡ୍ ଡିପୋଜିଟ୍ ମଧ୍ୟ କରିଥିଲେ ।
ତେବେ ଗତ ସେପ୍ଟେମ୍ବର ୧୦ ତାରିଖରେ ଆଶାଲତା ନିଜର ଲକର୍ରୁ ଏକ ସୁନା ଚେନ୍ ଆଣିବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ନିୟମ ଅନୁଯାୟୀ ତାଙ୍କ ନିଜ ଚାବି ଏବଂ ବ୍ୟାଙ୍କର ଲକର୍ ଇନ୍-ଚାର୍ଜଙ୍କ ଚାବି ବ୍ୟବହାର କରି ଲକର୍ ଖୋଲାଯାଇଥିଲା । କିନ୍ତୁ ଭିତରେ ପ୍ରବେଶ କରିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାରଣ ତାଙ୍କ ଅଳଙ୍କାର ରହିଥିବା ମୂଳ ବାକ୍ସ କିମ୍ବା ପାତ୍ରଟି ଲକର୍ ଭିତରୁ ସମ୍ପୂର୍ଣ୍ଣ ଗାଏବ ଥିଲା। ଏହି ଅଭାବନୀୟ ଦୃଶ୍ୟ ଦେଖି ଆଶାଲତା ଏବଂ ତାଙ୍କ ସ୍ୱାମୀଙ୍କ ହୋସ ପଡ଼ିଯାଇଥିଲା ।
ଏନେଇ ସେ ତ୍ୱରିତ୍ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଲିଖିତ ଭାବେ ଜଣାଇବା ସହ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ପୁରୀ ଟାଉନ୍ ଥାନାରେ ଏଫଆଇଆର୍ ଦାୟର କରିଛନ୍ତି । ବ୍ୟାଙ୍କ ଭଳି ଏକ ସୁରକ୍ଷିତ ସ୍ଥାନରୁ ଏତେ ପରିମାଣର ସୁନା କିପରି ଗାଏବ ହେଲା, ତାକୁ ନେଇ ଗାଁଠାରୁ ସହର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି । ପୋଲିସ ମାମଲା ରଜିଷ୍ଟର କରି ବ୍ୟାଙ୍କର ସିସିଟିଭି ଫୁଟେଜ୍ ଏବଂ ଲକର୍ ରେଜିଷ୍ଟର ଯାଞ୍ଚ କରିବା ସହ ଘଟଣାର ବ୍ୟାପକ ତଦନ୍ତ ଜାରି ରଖିଛି ।

