ନୂଆଦିଲ୍ଲୀ : ଆର୍ନ୍ତଜାତୀୟ ମଞ୍ଚରେ ଏବେ ବେଶ୍ ଚର୍ଚ୍ଚାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ। ଭାରତ ମଣ୍ଡପମରେ ଆୟୋଜିତ ରାତ୍ରିଭୋଜନ କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରତିଷ୍ଠିତ ନେତା। ଏହି ସମୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ମାଇକ୍ରୋଫୋନ୍ ଧରି ୧୯୬୫ର ହିନ୍ଦୀ ଚଳଚ୍ଚିତ୍ର ‘ତିନ୍ ଦେବିୟାଁ’ର ଗୀତ “ଖ୍ଵାବ ହୋ ତୁମ୍ ୟା କୋଇ ହକିକତ୍…” ଗାଇବା ଆରମ୍ଭ କରିଥିଲେ।
ପିଆନୋର ସ୍ୱର ସହ ତାଙ୍କ କଣ୍ଠର ଯାଦୁ ଦେଖି ଉପସ୍ଥିତ କୂଟନୀତିଜ୍ଞମାନେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ। ପରେ ଅନୱାର ନିଜର ଅଫିସିଆଲ୍ ଏକ୍ସ୍ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଏକ ମଜାଦାର କ୍ୟାପସନ୍ ଦେଇ ଲେଖିଛନ୍ତି, “ଗୁରୁ, ମୋତେ କିଛି ସମୟ ପାଇଁ ଗୀତ ଗାଇବାକୁ ଅନୁମତି ମିଳିବ କି?” ଉଲ୍ଲେଖଯୋଗ୍ୟ ଯେ, ଅନୱାର ଇବ୍ରାହିମ ଭାରତୀୟ ସଙ୍ଗୀତ ଓ ବଲିଉଡର ଜଣେ ବଡ଼ ପ୍ରଶଂସକ। ଏହା ପୂର୍ବରୁ ମଧ୍ୟ ଭାରତ ଗସ୍ତ ସମୟରେ ସେ ମୁକେଶଙ୍କ ପ୍ରସିଦ୍ଧ ଗୀତ “ଦୋସ୍ତ ଦୋସ୍ତ ନା ରହା” ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କୂଟନୈତିକ କାର୍ଯ୍ୟବ୍ୟସ୍ତତା ଓ ବିଶ୍ୱ ରାଜନୀତିର ଗମ୍ଭୀରତା ଭିତରେ ତାଙ୍କର ଏଭଳି ସାଂସ୍କୃତିକ ଓ ମନୋରଞ୍ଜନଭରା ଅନ୍ଦାଜ ଭାରତ-ମାଲେସିଆ ମଧ୍ୟରେ ଥିବା ବନ୍ଧୁତାକୁ ଏକ ନୂଆ ସାଂସ୍କୃତିକ ନିବିଡ଼ତା ପ୍ରଦାନ କରିଛି।
ବିଶ୍ୱସ୍ତରୀୟ ସମ୍ମିଳନୀରେ ଏଭଳି ହୃଦୟସ୍ପର୍ଶୀ ମୁହୂର୍ତ୍ତ କେବଳ ମନୋରଞ୍ଜନ ଯୋଗାଇନାହିଁ, ବରଂ ଦୁଇ ଦେଶର କୂଟନୈତିକ ସମ୍ପର୍କରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସେତୁ ସଦୃଶ କାର୍ଯ୍ୟ କରିଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।

