Latest Odisha News

BREAKING NEWS

୧୯୯୮ରେ ଭାରତକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା ଲାଡେନ

ନ୍ୟୁୟର୍କ:  ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସାର୍ବଜନୀନ କରିଛି। ଏହି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ୧୯୯୮ ମସିହାରେ ଅଲ-କାଏଦା ମୁଖିଆ ଓସାମା ବିନ୍ ଲାଡେନ୍ ଭାରତ ସମେତ ବିଶ୍ୱର ଏକାଧିକ ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲା।

ସିଆଇଏ ପକ୍ଷରୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଓ ଜର୍ଜ ଡବ୍ଲୁ. ବୁଶଙ୍କୁ ଦିଆଯାଇଥିବା ୧୦୦ରୁ ଅଧିକ ପୃଷ୍ଠାର ୬୯ଟି ଗୁପ୍ତଚର ବ୍ରିଫିଂକୁ ସାର୍ବଜନୀନ କରାଯାଇଛି। ୨୮ ଅଗଷ୍ଟ ୧୯୯୮ର ଏକ ଗୋପନ ମେମୋ ଅନୁଯାୟୀ, ଆଫଗାନିସ୍ତାନରେ ଆମେରିକାର ଏୟାରଷ୍ଟ୍ରାଇକରୁ ବର୍ତ୍ତିଯିବା ପରେ ଲାଡେନ୍ ନିଜର ଆତଙ୍କବାଦୀ ନେଟୱାର୍କକୁ ପୁନର୍ବାର ସକ୍ରିୟ କରିଥିଲା। ସେ ଭାରତ, ପାକିସ୍ତାନ, ଇଜିପ୍ଟ, କୁଏତ, ସାଉଦି ଆରବ, ୟେମେନ, ଉଗାଣ୍ଡା ଏବଂ ନାଇଜେରିଆ ଭଳି ଦେଶଗୁଡ଼ିକୁ ନିଜର ଟାର୍ଗେଟ୍ ତାଲିକାରେ ରଖିଥିଲା ।

ସିଆଇଏ ନିଜର ତତ୍କାଳୀନ ରାଷ୍ଟ୍ରପତିମାନଙ୍କୁ ଆଲର୍ଟ କରି ଜଣାଇଥିଲା ଯେ ଲାଡେନ୍‌ର ମୁଖ୍ୟ ଲକ୍ଷ୍ୟ ଆମେରିକା ମାଟି ଥିଲା ଏବଂ ସେ ଏକ ବିସ୍ଫୋରକ ଭର୍ତ୍ତି ବିମାନକୁ ଆମେରିକାର ସହରରେ ପିଟିବାକୁ ଯୋଜନା କରୁଥିଲା, ଯାହା ପରବର୍ତ୍ତୀ ସମୟରେ ୨୦୦୧ ସେପ୍ଟେମ୍ବର ୧୧ରେ ସତ ପ୍ରମାଣିତ ହୋଇଥିଲା। ଏହି ନୂତନ ରିପୋର୍ଟ ସାର୍ବଜନୀନ ହେବା ପରେ, ୯/୧୧ ଆକ୍ରମଣ ପୂର୍ବରୁ ହିଁ ଅଲ-କାଏଦାର ବିଶ୍ୱବ୍ୟାପୀ ବିପଜ୍ଜନକ ଯୋଜନା ବିଷୟରେ ଆମେରିକା ପାଖରେ ସୂଚନା ଥିବା ସ୍ପଷ୍ଟ ହୋଇଛି।

ଗୁପ୍ତଚର ରିପୋର୍ଟଗୁଡ଼ିକରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଲାଡେନ୍‌ର ନେଟୱାର୍କ କେବଳ ମଧ୍ୟପ୍ରାଚ୍ୟରେ ନଥିଲା, ବରଂ ଦକ୍ଷିଣ ଏସିଆର ସୁରକ୍ଷା ବ୍ୟବସ୍ଥାକୁ ଅସ୍ଥିର କରିବା ପାଇଁ ଏହା ବହୁ ପୂର୍ବରୁ ଜାଲ ବିଛାଇ ସାରିଥିଲା।

Leave A Reply

Your email address will not be published.