Latest Odisha News

BREAKING NEWS

ଜି – ୨୦ରେ ପୁଟିନ – ଜେଲେନସ୍କି ସାକ୍ଷାତକାର ଅସମ୍ଭବ : କ୍ରେମଲିନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆମେରିକାର ମିଆମିଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସାକ୍ଷାତକାର ହେବାର ସମ୍ଭାବନାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି କ୍ରେମଲିନ୍।

ଜର୍ମାନ ଗଣମାଧ୍ୟମ ଡଏଚ୍ ୱେଲେକୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପ୍ରକାଶ କରିଥିଲେ ଯେ, ଯଦି ଉଭୟ ନେତାଙ୍କୁ ଜି-୨୦ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରାଯାଏ, ତେବେ ସେ ଯୁଦ୍ଧ ସମାପ୍ତ କରିବା ପାଇଁ ପୁଟିନଙ୍କ ସହ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜେଲେନ୍ସକି କହିଥିଲେ ଯେ କେବଳ କଥା ନୁହେଁ, ଯୁଦ୍ଧର ସମାଧାନ ଏବଂ ସଠିକ୍ ଫଳାଫଳ ବାହାର କରିବା ଆମର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ।

ତେବେ ୟୁକ୍ରେନର ଏହି ପ୍ରସ୍ତାବକୁ କ୍ରେମଲିନ୍ ସପୂର୍ଣ୍ଣ ରୂପେ ଖାରଜ କରିଦେଇଛି। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରୀ ପେସକୋଭ୍ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେରିକାରେ ଏହି ସାକ୍ଷାତକାର ଆଦୌ ସମ୍ଭବ ନୁହେଁ। ମସ୍କୋର ପୁରୁଣା ସର୍ତ୍ତକୁ ଦୋହରାଇ ସେ କହିଛନ୍ତି ଯେ, ଯଦି ଜେଲେନସ୍କି ଆଲୋଚନା ପାଇଁ ପ୍ରକୃତରେ ପ୍ରସ୍ତୁତ, ତେବେ ସେ ଋଷର ରାଜଧାନୀ ମସ୍କୋକୁ ଆସିବାକୁ ପଡ଼ିବ। ମସ୍କୋରେ ହିଁ ଉଭୟ ନେତାଙ୍କ ସାକ୍ଷାତକାର ସମ୍ଭବ ହୋଇପାରିବ।

ଦୀର୍ଘ ଚାରି ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଶାନ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ, କ୍ରେମଲିନର ଏହି କଠୋର ଆଭିମୁଖ୍ୟ ଶାନ୍ତି ବାର୍ତ୍ତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆସନ୍ତା ଡିସେମ୍ବର ୧୪-୧୫ରେ ହେବାକୁ ଥିବା ଏହି ସମ୍ମିଳନୀରେ ପୁଟିନ୍ ଯୋଗଦେବେ କି ନାହିଁ, ସେ ନେଇ ମଧ୍ୟ ସସ୍ପେନ୍ସ ବଜାୟ ରହିଛି।

Leave A Reply

Your email address will not be published.