ରାୟଗଡ଼ା: ବଂଶଧାରା ନଦୀ ଉପରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡିଶାର ୧୦୬ ଏକର ସରକାରୀ ଜମି ଯିବ । ଏହାକୁ ବିରୋଧ କରି ଦଣ୍ଡକାରଣ୍ୟ ବିକାଶ ମଗାମଞ୍ଚ ପକ୍ଷରୁ ଗୁଣୁପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ନୀରବ ସତ୍ୟାଗ୍ରହ ପାଳନ କରାଯାଇଛି । ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖି ଓଡିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଦାବି କରାଯାଇଛି । ବିଧାନସଭା ସଦସ୍ୟ ସତ୍ୟଜିତ ଗମାଙ୍ଗ ବିଗତ ଦିନରେ ପ୍ରସ୍ତାବିତ ଗୁଡାରିର ପାଣି ଡଙ୍ଗର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ରଖିଥିଲେ ।
ଏଥିରେ ବରିଷ୍ଠ ବିଜେପି ନେତା ପ୍ରମୋଦ ସାହୁ, ବରିଷ୍ଠ ଅଧିବକ୍ତା ବ୍ରହ୍ମାନନ୍ଦ ପଟ୍ଟନାୟକ, ଜି.ଆଇଇଟିର ଚନ୍ଦ୍ରଧ୍ୱଜ ପଣ୍ଡା, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ଏକତ୍ରିତ ହୋଇ ନେରେଡି ପ୍ରକଳ୍ପର ସମ୍ଭାବ୍ୟ ପ୍ରଭାବ ନେଇ ଉଦବେଗ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପ ହେଲେ ଅନେକ କ୍ଷତି ହେବ ବୋଲି କୁହାଯାଇଥିଲା । ବିଶେଷ କରି ରାଜ୍ୟର ୧୦୬ ଏକର ଜମି ଯିବ ଏହା ସହ ହଜାର ହଜାର ଏକର ଜମି ଜଳମଗ୍ନ ହୋଇ ରହିବ । ତେଣୁ ଏହାକୁ ବିରୋଧ କରାଯାଇଛି ବୋଲି କୁହାଯାଇଛି ।

