Latest Odisha News

BREAKING NEWS

Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!

ନୂଆଦିଲ୍ଲୀ: ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ଜାହାଜ ମଧ୍ୟରେ ଧକ୍କାକୁ ନେଇ ଆରମ୍ଭ ହୋଇଛି କୂଟନୈତିକ ପ୍ରତିକ୍ରିୟା। ଉତ୍ତର ଆରବ ସାଗରରେ ସେପ୍ଟେମ୍ବର ୧୫ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ରିପୋର୍ଟ ହୋଇଛି। ଘଟଣା ପରେ ନୂଆଦିଲ୍ଲୀ ପାକିସ୍ତାନ ହାଇକମିଶନର ଚାର୍ଜ ଡି’ଆଫେୟାର୍ସଙ୍କୁ ଡାକି ଆପତ୍ତି ଜଣାଇଛି।

ସୂଚନା ଅନୁସାରେ, ଭାରତୀୟ ନୌସେନାର ଏକ ଯୁଦ୍ଧଜାହାଜ ନିୟମିତ ନିରୀକ୍ଷଣ ମିଶନରେ ଥିବା ବେଳେ ପାକିସ୍ତାନୀ ନୌସେନାର ଜାହାଜ PNS Hunain ତାହା ନିକଟରେ ଆସିଥିଲା। ଭାରତୀୟ ପକ୍ଷରୁ ମାରିଟାଇମ୍ ରେଡିଓର ଚାନେଲ୍ ମାଧ୍ୟମରେ ବାରମ୍ବାର ସତର୍କ କରାଯାଇଥିବା ସତ୍ତ୍ୱେ ପାକିସ୍ତାନୀ ଜାହାଜ ଗତି ବଢ଼ାଇ ଭାରତୀୟ ଯୁଦ୍ଧଜାହାଜର ଆଗ ଦିଗକୁ କାଟି ଯାଇଥିବା ଭାରତୀୟ ସୂତ୍ର ଦାବି କରିଛନ୍ତି। ଏହା ପରେ ଦୁଇ ଜାହାଜ ମଧ୍ୟରେ ସ୍ପର୍ଶ ହୋଇଥିଲା।

ତେବେ ବଡ଼ କଥା ହେଉଛି, ଭାରତୀୟ ଯୁଦ୍ଧଜାହାଜର କୌଣସି ଗଠନାତ୍ମକ କ୍ଷତି ହୋଇନାହିଁ ଏବଂ କୌଣସି ନୌସେନା କର୍ମଚାରୀ ଆହତ ହୋଇନାହାନ୍ତି। ଘଟଣା ପରେ ମଧ୍ୟ ଭାରତୀୟ ଜାହାଜ ନିଜର ମିଶନ ଜାରି ରଖିଥିଲା।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ପାକିସ୍ତାନୀ ନୌସେନା ୟୁନିଟ୍‌ର ଆଚରଣ “ଅଗ୍ରହଣୀୟ ଓ ଅପେଶାଦାର” ଥିଲା। ଭାରତ ଏହାକୁ ୧୯୯୧ର ଭାରତ-ପାକିସ୍ତାନ ଚୁକ୍ତିର ଧାରା-୧୦ର ଉଲ୍ଲଂଘନ ବୋଲି ଦର୍ଶାଇଛି। ଏହି ବ୍ୟବସ୍ଥା ଅନୁସାରେ ଅନ୍ତର୍ଜାତୀୟ ଜଳରେ ଦୁଇ ଦେଶର ନୌସେନା ଜାହାଜ ଓ ବୁଡ଼ାଜାହାଜ ମଧ୍ୟରେ ଅତିକମରେ ୩ ନଟିକାଲ୍ ମାଇଲ୍‌, ଅର୍ଥାତ୍ ପ୍ରାୟ ୫.୬ କିଲୋମିଟର ଦୂରତା ରଖିବାର ସୁରକ୍ଷା ନିୟମ ରହିଛି।

ଭାରତ ପାକିସ୍ତାନର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏପରି ଘଟଣା ଯେପରି ପୁଣି ନଘଟେ, ସେଥିପାଇଁ ସତର୍କତାର ସହ ଦ୍ୱିପାକ୍ଷିକ ଚୁକ୍ତି ପାଳନ କରିବାକୁ କହିଛି। ଭାରତୀୟ ନୌସେନା ମଧ୍ୟ ସ୍ଥାପିତ ଚ୍ୟାନେଲ୍‌ ମାଧ୍ୟମରେ ପାକିସ୍ତାନ ସେନା ସହ ଏହି ପ୍ରସଙ୍ଗ ଉଠାଇଛି।

ଏହି ଘଟଣା ୨୦୧୧ର ଏକ ଘଟଣାକୁ ମଧ୍ୟ ମନେ ପକାଇଦେଇଛି। ସେତେବେଳେ ଗଲ୍ଫ ଅଫ୍ ଏଡେନ୍‌ରେ ପାକିସ୍ତାନୀ ନୌସେନା ଜାହାଜ PNS Babur ଓ ଭାରତୀୟ INS Godavari ମଧ୍ୟରେ ଘଷାଘଷି ହୋଇଥିଲା। ଭାରତ ସେତେବେଳେ ମଧ୍ୟ ପାକିସ୍ତାନକୁ ଆପତ୍ତି ଜଣାଇଥିଲା ଏବଂ ଜାହାଜର ଚାଳନାକୁ ନେଇ ନାଭିଗେସନ୍ ସୁରକ୍ଷା ନିୟମ ଉଲ୍ଲଂଘନର ଅଭିଯୋଗ କରିଥିଲା।

ପୁଣି ଦ୍ବିତୀୟ ଥର ପାଇଁ ସମାନ ଘଟଣା ଘଟିଥିବା ବେଳେ ବର୍ତ୍ତମାନର ଘଟଣାରେ ତଦନ୍ତ ଓ କୂଟନୈତିକ ସ୍ତରରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଉପରେ ନଜର ରହିଛି।

Leave A Reply

Your email address will not be published.