ଇସଲାମାବାଦ: ଖାଦ୍ୟ ସଙ୍କଟ ଏବଂ ଆକାଶଛୁଆଁ ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଥିବା ପାକିସ୍ତାନର ଜନସାଧାରଣଙ୍କୁ ପୁଣି ଏକ ବଡ଼ ଝଟକା । ଅଟା, ଚାଉଳ ଏବଂ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଡହଳବିକଳ ହେଉଥିବା ପାକିସ୍ତାନୀଙ୍କ ଉପରେ ଏବେ ମହଙ୍ଗା ବିଦ୍ୟୁତ୍ ବିଲ୍ର ବୋଝ ଲଦି ଦିଆଯିବ । ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ କାରଣରୁ ତେଲ ଦରରେ ଅହେତୁକ ବୃଦ୍ଧି ଘଟିଥିବା ବେଳେ, ଏହାର ସିଧାସଳଖ ପ୍ରଭାବ ପାକିସ୍ତାନର ଶକ୍ତି କ୍ଷେତ୍ର ଉପରେ ପଡ଼ିଛି । ତେଣୁ ଦେଶରେ ପୁଣିଥରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଦ ଡନ୍’ର ରିପୋର୍ଟ ଅନୁଯାୟୀ, ଇସଲାମାବାଦ ପୁଣିଥରେ ବିଦ୍ୟୁତ୍ ଦର ବଢ଼ାଇବା ନେଇ ଗମ୍ଭୀରତାର ସହ ବିଚାର କରୁଛି । ପ୍ରତି ୟୁନିଟ୍ ପିଛା ବିଦ୍ୟୁତ୍ ଦର ୧.୭୩ ଟଙ୍କା ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଆଗତ କରାଯାଇଛି । ଅଗଷ୍ଟ ମାସରେ ବିଦ୍ୟୁତ୍ ଉତ୍ପାଦନରେ ହୋଇଥିବା ଅଧିକ ଖର୍ଚ୍ଚକୁ ଆଧାର କରି ଏହି ଦର ବୃଦ୍ଧି କରାଯିବ । ଏନେଇ ପାକିସ୍ତାନର ‘ସେଣ୍ଟ୍ରାଲ୍ ପାୱାର୍ ପରଚେଜିଂ ଏଜେନ୍ସି’ ପକ୍ଷରୁ ‘ନ୍ୟାସନାଲ୍ ଇଲେକ୍ଟ୍ରିକ୍ ପାୱାର୍ ରେଗୁଲେଟୋରୀ ଅଥରିଟି’ ନିକଟରେ ଔପଚାରିକ ଆବେଦନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ନେପ୍ରା ଏହି ମାମଲାର ଶୁଣାଣି କରିବ। ଯଦି ଏହି ପ୍ରସ୍ତାବ ମଞ୍ଜୁର ହୁଏ, ତେବେ ଏହାର ପ୍ରଭାବ କେବଳ ସାଧାରଣ ଉପଭୋକ୍ତା ନୁହଁନ୍ତି, ବରଂ ‘କେ-ଇଲେକ୍ଟ୍ରିକ୍’ର ଗ୍ରାହକମାନଙ୍କ ଉପରେ ମଧ୍ୟ ପଡ଼ିବ ।
ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ସ୍ଥିତି ଏପରି ହୋଇଛି ଯେ, ଇନ୍ଧନ ସଞ୍ଚୟ କରିବା ପାଇଁ ସରକାର ଅଫିସ୍ଗୁଡ଼ିକରେ ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଲାଗୁ କରିବା ସହ ରାତିରେ ‘ସ୍ମାର୍ଟ ଲକଡାଉନ୍’ ଭଳି ପଦକ୍ଷେପ ଆପଣାଉଛନ୍ତି ।
ସିପିପିଏ ରିପୋର୍ଟ ମୁତାବକ, ଅଗଷ୍ଟ ମାସରେ ଦେଶର ବିଭିନ୍ନ ବିଦ୍ୟୁତ୍ କମ୍ପାନୀଗୁଡ଼ିକୁ ୧୪.୪୬୪ ବିଲିୟନ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦିଆଯାଇଥିଲା, ଯାହାର ହାରାହାରି ଉତ୍ପାଦନ ଖର୍ଚ୍ଚ ୟୁନିଟ୍ ପିଛା ୮.୮୨ ଟଙ୍କା ରହିଥିଲା । ଦେଶରେ ସର୍ବାଧିକ ୩୭.୮୪ ପ୍ରତିଶତ ବିଦ୍ୟୁତ୍ ଜଳପ୍ରକଳ୍ପରୁ ଉତ୍ପାଦିତ ହୋଇଥିବା ବେଳେ ଆମଦାନୀ ହୋଇଥିବା କୋଇଲାରୁ ୧୫.୫୯% ଏବଂ ସ୍ଥାନୀୟ କୋଇଲାରୁ ୧୦.୮୮% ବିଦ୍ୟୁତ୍ ଉତ୍ପାଦନ କରାଯାଇଥିଲା । ଅନ୍ୟପକ୍ଷରେ ଫର୍ନେସ୍ ଅଏଲ୍ରୁ ମାତ୍ର ୨.୧୫% ବିଦ୍ୟୁତ୍ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ବିଲ୍ର ବୋଝ ଲଦିବା କୌଣସି ନୂଆ କଥା ନୁହେଁ । ଗତ ଅଗଷ୍ଟ ମାସରେ ମଧ୍ୟ ନେପ୍ରା ଜୁନ୍ ମାସର ଉତ୍ପାଦନ ଖର୍ଚ୍ଚ ଆଳରେ ୟୁନିଟ୍ ପିଛା ୭୫.୦୩ ପଇସା ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲା । କ୍ରମାଗତ ଭାବେ ବଢ଼ୁଥିବା ତୈଳ ଦର ଏବଂ ତା’ ପଛକୁ ବିଦ୍ୟୁତ୍ ଦର ବୃଦ୍ଧି ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି ।

