Latest Odisha News

BREAKING NEWS

୨୦୨୩ରୁ ବିସିସିଆଇ, ଅଗରକରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମତଭେଦ

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା  ଅଜିତ୍ ଅଗରକର୍ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ  ମଧ୍ୟରେ ୨୦୨୩ରୁ ହିଁ ମତଭେଦ ଆରମ୍ଭ ହୋଇଯାଇଥିଲା ବୋଲି ଦ ଟେଲିଗ୍ରାଫର ରିପୋର୍ଟ ପ୍ରକାଶ ପାଇଛି ।  ଅଗଷ୍ଟ ୨୦୨୩ରେ ଅନୁଷ୍ଠିତ ଆୟରଲ୍ୟାଣ୍ଡ ଗସ୍ତ ପାଇଁ  ବିସିସିଆଇ ତାରକା ଦ୍ରୁତ ବୋଲର୍ ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରିବାକୁ ଚାହୁଁଥିଲା । ବୁମରା ଦୀର୍ଘ ୧ ବର୍ଷର ଚୋଟ ପରେ ଦଳକୁ ଫେରୁଥିଲେ । ସେଥିପାଇଁ ତାଙ୍କ କାର‌୍ୟ୍ୟଭାରକୁ ନଜରରେ ରଖି ଅଗରକର୍ ତାଙ୍କୁ କେବଳ ବୋଲର୍ ଭାବେ ଖେଳାଇବାକୁ ଚାହୁଁଥିଲେ, ଯେପରି ସେ ଆଗାମୀ ଏସିଆ କପ୍ ଓ ୱାର୍ଲ୍ଡ କପ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ରହିପାରିବେ ।  ଅଗରକର୍ ଚେନ୍ନାଇ ସୁପର କିଙ୍ଗସର ଚେହେରା ଋତୁରାଜ ଗାଏକୱାଡଙ୍କୁ ଆୟରଲ୍ୟାଣ୍ଡ ଗସ୍ତରେ କାପ୍ଟେନ୍ କରିବାକୁ ସୁପାରିଶ କରିଥିଲେ ।

ସେହି ବର୍ଷ ଏସିଆନ୍ ଗେମ୍ସରେ ମଧ୍ୟ ଋତୁରାଜ ଭାରତୀୟ ଟିମ୍‌ର ନେତୃତ୍ୱ ନେଉଥିବାରୁ, ଆୟରଲ୍ୟାଣ୍ଡ ଭଳି ସିରିଜ୍‌ରେ ତାଙ୍କୁ ଅଧିନାୟକତ୍ୱର ଅଭିଜ୍ଞତା ଦେବା ଅଗରକର୍‌ଙ୍କ ଯୋଜନା ଥିଲା । ଅଗରକର୍‌ଙ୍କ ସୁପାରିଶକୁ ଏଡ଼ାଇ ବୁମରାଙ୍କୁ ହିଁ ଅଧିନାୟକ କରିଥିଲା, କାରଣ ବୁମରା ନିଜେ ନେତୃତ୍ୱ ନେବାକୁ ଆଗ୍ରହୀ ଥିଲେ ।  ଋତୁରାଜଙ୍କୁ ଉପ-ଅଧିନାୟକ କରାଯାଇଥିଲା ।  ଏହି ଘଟଣା ବ୍ୟତୀତ ରୋହିତ ଶର୍ମାଙ୍କ ଭବିଷ୍ୟତ ଯୋଜନା, ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରମୁଖ ଭିଭିଏସ୍ ଲକ୍ଷ୍ମଣଙ୍କ ସହ ମତଭେଦ ଏବଂ ନିକଟରେ ମୁମ୍ବାଇରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଗରକର୍‌ଙ୍କ ଅନୁପସ୍ଥିତି ଯୋଗୁଁ ସମ୍ପର୍କ ଆହୁରି ଖରାପ ହୋଇଥିଲା ।ଅଗରକର୍‌ଙ୍କ ଚୟନ କମିଟି ଅଧୀନରେ ଭାରତ ୨ଟି ୱାର୍ଲ୍ଡ କପ୍ (୨୦୨୪, ୨୦୨୬) ଏବଂ ଚାମ୍ପିଅନ୍ସ ଟ୍ରଫି (୨୦୨୫) ଜିତିବା ସହ ୨୦୨୩  ୱାର୍ଲ୍ଡ କପ୍ ଫାଇନାଲ୍‌ରେ ପହଞ୍ଚିଥିଲା । ଏହି ସଫଳତା ସତ୍ତ୍ୱେ, ସେପ୍ଟେମ୍ବର ୨୦୨୬ରେ ତାଙ୍କ କାର‌୍ୟ୍ୟକାଳ ଶେଷ ହେବା ପରେ ସେ ଆଉ ଆଗକୁ ମୁଖ୍ୟ ଚୟନକର୍ତ୍ତା ପଦରେ ନରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନୂଆ ଚୟନକର୍ତ୍ତା ଦୌଡ଼ରେ ପାର୍ଥିବ ପଟେଲ୍ ଏବଂ ପ୍ରଜ୍ଞାନ ଓଝାଙ୍କ ନାମ ଆଗରେ ରହିଛି ।

Leave A Reply

Your email address will not be published.