ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପାଞ୍ଚଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗସ ନିଜର ନୂଆ ହେଡ୍ କୋଚ୍ଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେଇଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର୍ ଜାହିର୍ ଖାନ୨୦୨୭ ସିଜନ୍ରୁ ଚେନ୍ନାଇର ହେଡ୍ କୋଚ୍ ଦାୟିତ୍ୱ ସମ୍ଭାଳିବେ । ସେ ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ ନେବେ, ଯିଏକି ୨୦୦୯ ରୁ ୨୦୨୬ ପର୍ୟ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ଚେନ୍ନାଇ ସହ ଜଡ଼ିତ ରହିବା ପରେ ଦଳରୁ ଅଲଗା ହୋଇଥିଲେ । ୨୧ ସେପ୍ଟେମ୍ବରରେ ଚେନ୍ନାଇ ନିଜର ଆଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ରେ ପୋଷ୍ଟ କରି ଲେଖିଥିଲା ଲେଫ୍ଟ ଆର୍ମ ଟେକିଂ ଓଭର । ଏହା ପୂର୍ବରୁ ଇଂଲଣ୍ଡର ଇଓନ୍ ମୋର୍ଗାନ୍ କିମ୍ବା ଜଣେ ଅଷ୍ଟ୍ରେଲିୟ ଅଭିଜ୍ଞ ଖେଳାଳି ହେଡ୍ କୋଚ୍ ହେବା ନେଇ ଚର୍ଚ୍ଚା ଚାଲିଥିଲା ।
ମାତ୍ର ଚେନ୍ନାଇ ଜାହିର୍ଙ୍କ ନାମ ଆଣି ସମସ୍ତ ଅଟକଳରେ ପୂର୍ଣ୍ଣଚ୍ଛେଦ ପକାଇଛି । ଜାହିର୍ ଖାନ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଏବଂ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ସହ ‘ମେଣ୍ଟର’ ଭାବେ କାର୍ୟ୍ୟ କରିସାରିଛନ୍ତି । ଏମ.ଏସ୍. ଧୋନୀ ଏବଂ ଜାହିର୍ ଖାନ୍ଙ୍କ ସମ୍ପର୍କ ବହୁ ପୁରୁଣା । ଧୋନୀ ନିଜ ଅଧିନାୟକତ୍ୱ ସମୟରେ ଜାହିର୍ଙ୍କୁ ଦଳର ‘ବୋଲିଂ କ୍ୟାପ୍ଟେନ୍’ ବୋଲି କହୁଥିଲେ । ୨୦୧୧ ବିଶ୍ୱକପ୍ ବିଜୟରେ ଜାହିର୍ଙ୍କ ବୋଲିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏବେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ପରେ, ଜଣେ କୋଚ୍ ଏବଂ ଅନ୍ୟଜଣେ ପ୍ଲେୟାର ମେଣ୍ଟର ଭାବେ ଧୋନୀ ଓ ଜାହିର୍ଙ୍କ ଯୋଡ଼ି କିପରି ଚେନ୍ନାଇକୁ ସଫଳତା ଆଣିଦେଉଛି, ତାହା ୨୦୨୭ ରେ ଦେଖିବାକୁ ବାକି ରହିଲା ।

