Latest Odisha News

BREAKING NEWS

Jamui Student Assault: ଦେଖିପାରିବେନି ଭିଡିଓ…ବିହାର ରାସ୍ତାରେ ନାବାଳିକାଙ୍କ ସହ କିଛି ଏମିତି ଘଟିଲା, ଛାତି ଥରାଇ ଦେବ ଦୃଶ୍ୟ!  

ପାଟନା: ବିହାରର ଜମୁଇ ଘଟଣାକୁ ନେଇ ଏବେ ପୂରା ଦେଶକୁ ଦୋହଲାଇ ରଖିଦେଇଛି । ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ ରାସ୍ତା ଉପରେ ଜଣେ ନାବାଳକ ଓ ନାବାଳିକାଙ୍କ ସହ କଥିତ ଦୁର୍ବ୍ୟବହାରର ଭିଡିଓ ଭାଇରାଲ ହେବା ପରେ ଘଟଣା ସମସ୍ତତଙ୍କୁ ବ୍ୟଥିତ କରିଛି । ନାବାଳିକାଙ୍କ ସହ ସର୍ବସାଧାରଣ ସ୍ଥାନରେ ଦୁର୍ବ୍ୟବହାରର ଭିଡିଓ ସାମ୍ନାକୁ ଆସିବା ପରେ ପୁଣିଥରେ ଏହି ପ୍ରଶ୍ନ ଉଙ୍କି ମାରୁଛି, ଦେଶରେ କେତେ ସୁରକ୍ଷିତ ଅଛନ୍ତି ମହିଳା?

ସପଟେ ନାବାଳକ-ନାବାଳିକାଙ୍କ ସହ ଅସଦାଚରଣ ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଛି। ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ କୋଚିଂରୁ ଫେରୁଥିବା ଦୁଇ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଏକ ଗୋଷ୍ଠୀ ଅଟକାଇ ହଇରାଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ନାବାଳକଙ୍କୁ ହଟାଇ କିଛି ବ୍ୟକ୍ତି ମୁହଁରେ କପଡା ବାନ୍ଧି ନାବାଳିକାଙ୍କୁ ଜୋର ଜବରଦସ୍ତି ଟେକି ନେଉଥିବାର ଦୃଶ୍ୟ ରହିଛି । ପରେ ସେଇ ପଟ ଦେଇ ଯାଇଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଘଉଡାଇ ଥିଲେ । ପୋଲିସ ଭିଡିଓକୁ ତଦନ୍ତର ଆଧାର କରିଛି।

ଜମୁଇ ଏସ୍‌ପି ବିଶ୍ୱଜିତ ଦୟାଲଙ୍କ ଅନୁସାରେ, ଭିଡିଓରୁ ପ୍ରାୟ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ଭିଡିଓରେ ନାବାଳିକାଙ୍କ ସହ ଅସଦାଚରଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ପୋଲିସ କହିଛି।

ଘଟଣାର ତଦନ୍ତ ପାଇଁ ଏସ୍‌ଡିପିଓ ଦୀପ୍ତି ମୋନାଲିଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ ହୋଇଛି। ଜମୁଇ ଥାନାରେ POCSO ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି।

ପୋଲିସ କହିଛି, ଘଟଣା ପରେ ତୁରନ୍ତ ପୀଡ଼ିତ ପରିବାର ପକ୍ଷରୁ ଅଭିଯୋଗ ଆସିନଥିଲା। ଭିଡିଓ ଭାଇରାଲ ହେବା ପରେ ସେଥିରେ ଦେଖାଯାଇଥିବା ଗାଡ଼ିର ନମ୍ବର ଆଧାରରେ ଦୁଇ ନାବାଳକ-ନାବାଳିକାଙ୍କ ପାଖରେ ପହଞ୍ଚି ସେମାନଙ୍କ ବୟାନ ନିଆଯାଇଥିଲା। ପୋଲିସ ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ମଧ୍ୟ ପଦକ୍ଷେପ ନେଇଛି।

ଘଟଣାକୁ ନେଇ ବିହାର ରାଜ୍ୟ ମହିଳା ଆୟୋଗ ମଧ୍ୟ ରିପୋର୍ଟ ମାଗିଛି। ଏହାସହ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ତୀବ୍ର ହୋଇଛି। ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବଙ୍କ ସମେତ ବିରୋଧୀ ନେତାମାନେ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ବିହାର ସରକାରଙ୍କ ମନ୍ତ୍ରୀମାନେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନର କଥା କହିଛନ୍ତି।

ତେବେ ନାବାଳକ-ନାବାଳିକାଙ୍କ ପରିଚୟ ପ୍ରକାଶ ପାଇବା ଭଳି ଭିଡିଓ କିମ୍ବା ତଥ୍ୟ ସେୟାର ନକରିବାକୁ ସତର୍କତା ରହିଛି। ଏବେ ପୋଲିସର ମୁଖ୍ୟ ଫୋକସ୍‌ ହେଉଛି ବାକି ଅଭିଯୁକ୍ତଙ୍କୁ ଧରିବା ଏବଂ ମାମଲାର ତଦନ୍ତ ଆଗକୁ ବଢ଼ାଇବା।

Leave A Reply

Your email address will not be published.