Monsoon Session: ଆରମ୍ଭରୁ ହଙ୍ଗାମା, ଶୋକ ପ୍ରସ୍ତାବ ପରେ ଗୃହରେ ହଟ୍ଟଗୋଳ; ୧ଟା ୧୦ ପର୍ଯ୍ୟନ୍ତ ମୁଲତବୀ ହେଲା ବିଧାନସଭା
ଭୁବନେଶ୍ୱର: ମଙ୍ଗଳବାର(୨୨ ସେପ୍ଟେମ୍ବର) ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଆରମ୍ଭରୁ ହିଁ ସରଗରମ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ସକାଳ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ପରେ ଦିବଙ୍ଗତ ନେତା ଓ ବିଧାୟକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।
ମୁଖ୍ୟମନ୍ତ୍ରୀ ତଥା ଗୃହ ନେତା ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ମାଝୀ ଓ ସୁଶାନ୍ତ ସିଂହ, ପୂର୍ବତନ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ ଏବଂ ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଓ ଶିବାଜୀ ମାଝୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ନେପାଳ ସମେତ ଭାରତର କିଛି ଅଞ୍ଚଳରେ ହୋଇଥିବା ବନ୍ୟାରେ ଜୀବନ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ନେତା ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ପରେ ଗୃହରେ ଏକ ମିନିଟ୍ ନୀରବତା ପାଳନ କରାଯାଇଥିଲା।
କିନ୍ତୁ ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହେବା ସହ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ଏହାର ମୁଖ୍ୟ ପ୍ରସଙ୍ଗ ଥିଲା MMDR ସଂଶୋଧନ ଆଇନ। ଏହି ଆଇନ ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ଉପରେ ପ୍ରଭାବ ପଡ଼ିବ ବୋଲି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଏହାସହ ପାଠ୍ୟପୁସ୍ତକରେ ଥିବା କଥିତ ତ୍ରୁଟି ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା।
ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ ହଟ୍ଟଗୋଳ ଜାରି ରହିବାରୁ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରିନଥିଲା। ଶେଷରେ ବାଚସ୍ପତି ଗୃହକୁ ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ତେବେ ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ଏବଂ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏଥିରେ ପ୍ରାୟ ୬ଟି ବିଲ୍ ଆସିବାର ସମ୍ଭାବନା ରହିଛି। ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ପ୍ରସ୍ତାବିତ ବିଲ୍ ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ସହଯୋଗ ଲୋଡ଼ିଥିଲେ। ତେବେ ଅଧିବେଶନ ଆରମ୍ଭରୁ MMDR ପ୍ରସଙ୍ଗ, ପାଠ୍ୟପୁସ୍ତକ ତ୍ରୁଟି, ବନ୍ୟା ପରିଚାଳନା ଓ ଅନ୍ୟ ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ତର୍କ ଜୋରଦାର ହେବାର ସଙ୍କେତ ମିଳିଛି।

