ତିରୁବନନ୍ତପୁରମ୍: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନିକଟରେ ବିଶ୍ୱରେକର୍ଡ କରିବା ସୁଯୋଗ ରହିଛି । ଆସନ୍ତା ସେପ୍ଟେମ୍ବର ୨୭ରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ସହ ଅଭିଜ୍ଞ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଦୀର୍ଘ ଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି । ଅକ୍ଷର ପଟେଲ୍ ଏସିଆନ୍ ଗେମ୍ସ ଦଳରେ ସାମିଲ ହେବା ଏବଂ ହର୍ଷ ଦୁବେ ଆଘାତପ୍ରାପ୍ତ ହେବା ଯୋଗୁଁ ୩୭ ବର୍ଷୀୟ ଜାଡେଜାଙ୍କୁ ପୁଣି ଥରେ ଦଳରେ ସୁଯୋଗ ମିଳିଛି ।
୨୦୨୭ ଦିନିକିଆ ବିଶ୍ୱକପ୍କୁ ଆଖିଆଗରେ ରଖି ଚୟନକର୍ତ୍ତାଙ୍କ ମନ ଜିଣିବା ପାଇଁ ଜାଡେଜାଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ । ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର ହେବା ପାଇଁ ଜାଡେଜାଙ୍କୁ ମାତ୍ର ୧ଟି ୱିକେଟ୍ ଦରକାର । ଏହି ୱିକେଟ୍ ନେବା ମାତ୍ରେ ସେ ୱେଷ୍ଟଇଣ୍ଡିଜ୍ର କିମ୍ବଦନ୍ତୀ ଦ୍ରୁତ ବୋଲର କୋର୍ଟନୀ ୱାଲ୍ସଙ୍କ ୪୪ଟି ୱିକେଟ୍ର ରେକର୍ଡ ଭାଙ୍ଗି ଶୀର୍ଷ ସ୍ଥାନ ହାସଲ କରିବେ । ୱାଲ୍ଶ ୩୮ ମ୍ୟାଚରେ ୪୪ ୱିକେଟ ନେଇଥିବା ବେଳେ ଜାଡେଜା ୩୨ ମ୍ୟାଚରେ ସମାନ ସଂଖ୍ୟକ ୱିକେଟ ନେଇଛନ୍ତି ।

