ନୂଆଦିଲ୍ଲୀ:ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ହାଇପ୍ରୋଫାଇଲ୍ ଆଇନଜୀବୀମାନେ ନିଜ ନିଜର ପକ୍ଷ ରଖିଛନ୍ତି । ଡିଜିପି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ରାଜ୍ୟ ସରକାର କହିଛନ୍ତି ।
ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖିବା ଆରମ୍ଭ କରିଥିଲେ । ସେହିପରି ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଅନ୍ୟପଟେ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ମାମଲା ପରିଚାଳନା କରି ଆଇନଜୀବୀ କରୁଣା ନନ୍ଦୀ ନିଜର ସପକ୍ଷ ଯୁକ୍ତି ରଖିଛନ୍ତି ।
ଖଣ୍ଡପୀଠରେ ଉଭୟ ପକ୍ଷର ଜୋରଦାର ବିତର୍କ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଛି । ତେବେ ମଙ୍ଗଳବାର ପାଇଁ ସୁପ୍ରିମକୋର୍ଟ କିଛି କ୍ଲାରିଫିକେସନ ମାଗିଛନ୍ତି । ତେଣୁ ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେହିଦିନ ସୁପ୍ରିମକୋର୍ଟ ରାୟ ଶୁଣାଇପାରନ୍ତି କିମ୍ବା ରାୟ ସଂରକ୍ଷିତ ରଖିପାରନ୍ତି ।

