Latest Odisha News

BREAKING NEWS

Heavy Rains Trigger Landslides:ଗଭୀର ଅବପାତ ପ୍ରଭାବ:ରେଳ ଧାରଣାରେ ଭୂସ୍ଖଳନ,ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡା:ଗଭୀର ଅବପାତ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ଉପରେ ପ୍ରଭାବ ପଡ଼ିଛି । ଲଗାଣ ବର୍ଷା କାରଣରୁ ରେଳ ଧାରଣାରେ ଭୂ ସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୂ ସ୍ଖଳନ ଘଟି ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ୟରେ ଥିବା ଟନଲ୍ ନଂମ୍ବର ୩ ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଖସିଛି । ଫଳରେ କୋରାପୁଟ-ରାୟଗଡ଼ା (କେଆର୍) ରେଳପଥ ବନ୍ଦ ରହିଥିଲା । ଏହି ରେଳପଥରେ ରେଳ ଚଳାଚଳ ତିନି ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା ।

ସୂଚନାଥାଉକି, ସକାଳ ପ୍ରାୟ ୧୦.୩୦ ସମୟରେ ଭୂ ସ୍ଖଳନ ଘଟିଥିଲା । ଏହାପରେ ଏକ ସ୍ବତନ୍ତ୍ର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣାରୁ ମାଟି ହଟାଇଥିଲେ । ରେଳ ଟ୍ରାକ୍ ଉପରୁ ସମସ୍ତ ମାଟିକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । ମଧ୍ୟାହ୍ନ ୨ ଟା ସମୟରେ ରେଳ ଧାରଣା ସଫା ହୋଇଥିଲା ।

ତେବେ କିଛି ସ୍ଥାନରେ ରେଳ ଧାରଣା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ତେଣୁ ପୁନର୍ବାର ଏହି ରେଳପଥ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମୁଖ୍ୟତଃ ଲେଲିଗୁମା, ରାଉଳି, ସିଙ୍ଗାରାମ, ଭାଲୁମସ୍କା ଷ୍ଟେସନ ନିକଟରେ ଟ୍ରାକ ଉପରେ ପାଣି ଜମି ରହିଛି । ଏଥିପ୍ରତି ନଜର ରହିଛି ବୋଲି ଡିଆରଏମ ଅମିତାଭ୍ ସିଂଘଲ କହିଛନ୍ତି ।

ଅନ୍ୟପଟେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ଗୁରୁବାର ସକାଳେ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଶେଷଖାଲ ଥାନା ନିକଟରେ ରାୟଗଡ଼ା-ବିଜୟନଗରମ୍ ମୁଖ୍ୟ ରାସ୍ତା ଉପରେ ଏକ ବିଶାଳ ଗଛ ଉପୁଡ଼ି ପଡ଼ିଥିଲା । ଗଛଟି ଟ୍ରକ ଉପରେ ପଡିବାରୁ ଟ୍ରକ କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟାତ ପୁଣି ଥରେ ସ୍ୱାଭାବିକ ହୋଇଥିଲା ।

 

Leave A Reply

Your email address will not be published.