Latest Odisha News

BREAKING NEWS

Panda Diplomacy: କ’ଣ ଏହି ପାଣ୍ଡା ଡିପ୍ଲୋମାସି…ହାତ ମିଳାଇଲେ ଟ୍ରମ୍ପ-ଜିନପିଙ୍ଗ! ଆମେରିକାକୁ ୨ ପାଣ୍ଡା ଦେବ ଚୀନ୍‌

ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ୱର ଦୁଇ ବଡ଼ ଶକ୍ତି ଆମେରିକା ଓ ଚୀନ୍‌ ମଧ୍ୟରେ ବ୍ୟବସାୟ, ପ୍ରଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ଅନ୍ୟପଟେ ଏବେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବନ୍ଧୁତାର ବାର୍ତ୍ତା। ଆମେରିକା ଗସ୍ତରେ ଥିବା ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଛି। ଏହାରି ଭିତରେ ଜିନପିଙ୍ଗଙ୍କ ଏକ ବଡ଼ ଘୋଷଣା ଏବେ ଚର୍ଚ୍ଚାରେ।

ଆମେରିକାକୁ ଦୁଇଟି ବିଶାଳ ପାଣ୍ଡା ଉପହାର ଦେବ ଚୀନ୍‌। ଜିନପିଙ୍ଗ କହିଛନ୍ତି, ପିଙ୍ଗ୍‌ ପିଙ୍ଗ୍‌ ଓ ଫୁ ଶୁଆଙ୍ଗ୍‌ ନାମକ ଦୁଇ ପାଣ୍ଡା ଖୁବଶୀଘ୍ର ଆଟଲାଣ୍ଟା ଜୁ’ରେ ପହଞ୍ଚିବେ। ଚୀନ୍‌ ଓ ଆମେରିକାର ଲୋକଙ୍କ ମଧ୍ୟରେ ବନ୍ଧୁତାର ଦୂତ ଭାବେ ଏହି ପାଣ୍ଡା କାମ କରିବେ ବୋଲି ଜିନପିଙ୍ଗ କହିଛନ୍ତି।

ଏପ୍ରିଲ୍‌ରେ ଚାଇନା ୱାଇଲ୍ଡଲାଇଫ୍‌ କନଜରଭେସନ୍‌ ଆସୋସିଏସନ୍‌ ଓ ଆଟଲାଣ୍ଟା ଜୁ’ ମଧ୍ୟରେ ଏକ ଗବେଷଣା ଚୁକ୍ତି ହୋଇଥିଲା। ସେହି ଚୁକ୍ତି ଅନୁସାରେ ଚେଙ୍ଗଡୁ ରିସର୍ଚ୍ଚ ବେସ୍‌ରୁ ଦୁଇ ପାଣ୍ଡା ଆଟଲାଣ୍ଟା ଯିବେ। ତେବେ ସେମାନେ ଠିକ୍‌ କେବେ ଆମେରିକାରେ ପହଞ୍ଚିବେ, ତାହା ସ୍ପଷ୍ଟ ହୋଇନାହିଁ।

ତେବେ ପାଣ୍ଡା ଦେବା ପଛରେ ରହିଛି ଏକ ଲମ୍ବା କୂଟନୈତିକ ପରମ୍ପରା। ଏହାକୁ କୁହାଯାଏ ‘ପାଣ୍ଡା ଡିପ୍ଲୋମାସି’। ୧୯୭୨ରେ ରିଚାର୍ଡ ନିକ୍ସନ୍‌ ଚୀନ୍‌ ଗସ୍ତ କରିବା ପରେ ଚୀନ୍‌ ପକ୍ଷରୁ ଆମେରିକାକୁ ଦୁଇ ପାଣ୍ଡା ଦିଆଯାଇଥିଲା। ସେମାନଙ୍କ ନାଁ ଥିଲା ଲିଙ୍ଗ୍‌-ଲିଙ୍ଗ୍‌ ଓ ହସିଙ୍ଗ୍‌-ହସିଙ୍ଗ୍‌। ପରେ ଏହି ପାଣ୍ଡା ଦୁଇ ଦେଶର ବନ୍ଧୁତାର ପ୍ରତୀକ ହୋଇଥିଲେ। ଏବେ ପୁଣି ଦୁଇ ପାଣ୍ଡାଙ୍କୁ ନେଇ ସେହି ପୁରୁଣା ବନ୍ଧୁତାର ବାର୍ତ୍ତାକୁ ଆଗକୁ ବଢ଼ାଇବାକୁ ଚାହୁଁଛି ଚୀନ୍‌।

ଅନ୍ୟପଟେ ଟ୍ରମ୍ପ ଓ ଜିନପିଙ୍ଗଙ୍କ ଆଲୋଚନାରେ ମଧ୍ୟ ଦୁଇ ଦେଶର ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଟ୍ରମ୍ପ କହିଛନ୍ତି, ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କକୁ ଆହୁରି ଆଗକୁ ନିଆଯାଇପାରିବ। ଜିନପିଙ୍ଗ କହିଛନ୍ତି, ଦୁଇ ଦେଶ ସମ୍ପର୍କରେ ଏକ ଐତିହାସିକ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଏବଂ ଦୁଇ ନେତାଙ୍କ ମଧ୍ୟରେ ଗଭୀର ଆଲୋଚନା ହୋଇଛି।

ତେଣୁ ଏବେ ଟ୍ରମ୍ପ-ଜିନପିଙ୍ଗଙ୍କ ହାତମିଳାଣି ସହ ଚର୍ଚ୍ଚାରେ ରହିଛି ପାଣ୍ଡା ଡିପ୍ଲୋମାସି। ଦୁଇ ପାଣ୍ଡା କେବଳ ଆଟଲାଣ୍ଟା ଜୁ’ର ଆକର୍ଷଣ ହେବେ ନା ଦୁଇ ଦେଶର ସମ୍ପର୍କରେ ମଧ୍ୟ ନୂଆ ଅଧ୍ୟାୟର ପ୍ରତୀକ ହେବେ, ତାହା ଉପରେ ଏବେ ନଜର।

Leave A Reply

Your email address will not be published.