ଭୁବନେଶ୍ୱର: ଜଣେ ଅନୁସୂଚିତ ଜାତି (SC) ବର୍ଗର ବ୍ୟକ୍ତିଙ୍କ ମାଲିକାନାରେ ଥିବା ଜମି କିଣିବା ପାଇଁ ଅନୁମତି ପ୍ରଦାନ କରିବା ବାବଦରେ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଶୁକ୍ରବାର ଦିନ ଓଡ଼ିଶା ଭିଜିଲାନ୍ସ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଣେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (ଜେଆରଏ) ଙ୍କୁ କାବୁ କରିଛି।
ପ୍ରସନ୍ନ କୁମାର ସାହାନୀ ନାମକ ଏହି ଜେଆରଏ ଜଣକ ଜମି କିଣିବାକୁ ଆସିଥିବା ଜଣେ ଆବେଦନକାରୀଙ୍କଠାରୁ ଲାଞ୍ଚ ଦାବି ନେଉଥିବା ସମୟରେ ନିଜ କାର୍ଯ୍ୟାଳୟ କକ୍ଷରେ ଧରାପଡ଼ି ଥିଲେ। ତାଙ୍କ ନିକଟରୁ ସମୁଦାୟ ୪୦,୦୦୦ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି।
ନିୟମ ଅନୁଯାୟୀ, ଅନୁସୂଚିତ ଜାତି (SC) କିମ୍ବା ଅନୁସୂଚିତ ଜନଜାତି (ST) ବର୍ଗର ବ୍ୟକ୍ତିଙ୍କଠାରୁ ଜମି କିଣିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ହୋଇଥାଏ। ଅଭିଯୋଗକାରୀ ନିଜ ମା’ଙ୍କ ନାମରେ ୧୬ ଡେସିମିଲ୍ ଜମି କିଣିବା ପାଇଁ ଅନୁମତି ଲୋଡ଼ି ୨୯ ନଭେମ୍ବର ୨୦୨୫ରେ ଯାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ ସାହାନୀ କୌଣସି ଯଥାର୍ଥ କାରଣ ବିନା ଏହି ପ୍ରକ୍ରିୟାରେ ବିଳମ୍ବ କରୁଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ପ୍ରଥମେ ପ୍ରତି ଡେସିମିଲ୍ ପିଛା ୩,୦୦୦ ଟଙ୍କା ହିସାବରେ ମୋଟ ୪୮,୦୦୦ ଟଙ୍କା ଦାବି କରିଥିଲେ। ଯେତେବେଳେ ଆବେଦନକାରୀ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କଲେ ସେତେବେଳେ ସେ ଏହି ରାଶିକୁ ୪୦,୦୦୦ ଟଙ୍କାକୁ କମାଇଥିଲେ।
ଲାଞ୍ଚ ଦାବି ପୂରଣ କରିବାରେ ଅସମର୍ଥ ହୋଇ ହଇରାଣ ହେବ ପରେ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଭିଜିଲାନ୍ସର ଏହି ଚଢ଼ଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ଦୃଷ୍ଟିକୋଣରୁ ସାହାନୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।
ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ପିସି (ସଂଶୋଧନ) ଆଇନ୍, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ନଂ ୩୭/୨୦୨୬ ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।


Comments are closed.