Latest Odisha News

BREAKING NEWS

ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ, ମାମଲା ରୁଜୁ

ନୂଆଦିଲ୍ଲୀ: ହକି ଇଣ୍ଡିଆ ମଧ୍ୟରେ କ୍ଷମତା ସଂଘର୍ଷ ତୀବ୍ର ହୋଇଛି। ଏହାରି ମଧ୍ୟରେ ସଂସ୍ଥାର ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଦିଲ୍ଲୀ ପୋଲିସ ନିକଟରେ କିଛି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି।

ସେମାନଙ୍କ ବିରୋଧରେ ‘ବିଶ୍ୱାସଘାତକତା, ଚୋରି, ଜୀବନ ପ୍ରତି ବିପଦ ସୃଷ୍ଟି ଏବଂ ଭଳି ଗୁରୁତର ଅଭିଯୋଗ ଅଣାଯାଇଛି।ଓଡ଼ିଶାର ଏହି କିମ୍ବଦନ୍ତୀ ହକି ଖେଳାଳି ନିଜର ବ୍ୟକ୍ତିଗତ ସାମଗ୍ରୀ ଓ କାଗଜପତ୍ର ତୁରନ୍ତ ଫେରସ୍ତ ପାଇବାକୁ ଦାବି ମଧ୍ୟ କରିଛନ୍ତି।

ଡିସିପି (ଦକ୍ଷିଣ ଦିଲ୍ଲୀ)ଙ୍କ କାର୍ଯ୍ୟାଳୟ ଅଭିଯୋଗ ପାଇଥିବା କଥା ସ୍ୱୀକାର କରିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଏଫ୍‌ଆଇଆର୍ ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗରେ ହକି ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର.କେ. ଶ୍ରୀବାସ୍ତବ, ଆର୍ଥିକ ପରିଚାଳକ ସୁବୋଧ କୁମାର, ନିର୍ଦ୍ଦେଶକ ଭୂଷଣ କୁମାର ଏବଂ ଫେଡେରେସନ୍‌ର ଡ୍ରାଇଭର ହରମିନ୍ଦର ସିଂହଙ୍କ ନାମ ଉଲ୍ଲେଖ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଏଫ୍‌ଆଇଏଚ୍ ବିଶ୍ୱକପ୍ ସମୟରେ ଜାତୀୟ ଦଳର ଜର୍ସି ରଙ୍ଗକୁ ନେଇ ହୋଇଥିବା ବିବାଦ ପରେ ତିର୍କୀ କମାଣ୍ଡର ଶ୍ରୀବାସ୍ତବଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୨ ତାରିଖରେ ଏକ ସରକାରୀ ଗସ୍ତରେ ଦିଲ୍ଲୀ ଆସିଥିବା ସମୟରେ ଦିଲୀପ ତିର୍କୀଙ୍କୁ ଏକ ସରକାରୀ ଗାଡ଼ି ଯୋଗାଇ ଦିଆଯାଇଥିଲା। ତେବେ ପରେ ଫେଡେରେସନ୍ ସେହି ଗାଡ଼ିକୁ ଫେରାଇ ନେଇଥିଲା, ଯେଉଁଥିରେ ତାଙ୍କର ବ୍ୟକ୍ତିଗତ ସାମଗ୍ରୀ ରହିଯାଇଥିଲା ବୋଲି ଅଭିଯୋଗ ହୋଇଛି। ଗାଡ଼ିରେ ରହିଯାଇଥିବା ସାମଗ୍ରୀ ମଧ୍ୟରେ ତାଙ୍କର ଜରୁରୀ ଔଷଧ ଥିବା ଏକ ବ୍ୟାଗ୍ ମଧ୍ୟ ସାମିଲ ଥିଲା।

ଖବର ଅନୁଯାୟୀ, ସେ ଗାଡ଼ି ଓ ନିଜ ସାମଗ୍ରୀ ଫେରସ୍ତ ପାଇବା ପାଇଁ ହକି ଇଣ୍ଡିଆ ଅଧିକାରୀଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ, କିନ୍ତୁ ତାହା ବିଫଳ ହୋଇଥିଲା।

Leave A Reply

Your email address will not be published.