ଠାକୁରମୁଣ୍ଡା: ଘର ଭିତରେ ମହାବଳ ବାଘ । ଶେଷରେ ଦୀର୍ଘ ସମୟର ଅପରେସନ ପରେ ଧରାପଡ଼ିଛି ଘରେ ପଶିଥିବା ମହାବଳ ବାଘ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ ଛୁଆ । ଗତକାଲି ରାତିରେ ଏହି ବାଘ ଛୁଆଟି ପ୍ରଥମେ ଗାଁର ଏକ ଗୁହାଳ ଘରେ ପ୍ରବେଶ କରିଥିଲା । ପରେ ଏକ ଅବ୍ୟବହୃତ ଘର ଭିତରେ ରାତିସାରା ରହିଥିଲା । ଘର ଭିତରେ ବାଘ ଥିବା ଖବର ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନବିଭାଗର ଟିମ୍ । ବାଘକୁ ସୁରକ୍ଷିତ ଭାବେ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଶେଷରେ ବନବିଭାଗର ଉଦ୍ୟମ ସଫଳ ହୋଇଛି। ଘର ଭିତରୁ ବାଘକୁ ଧରିବା ପରେ ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ମହାବଳ ବାଘକୁ ଉଦ୍ଧାର କରାଯିବା ଭିତରେ କାହାରି କ୍ଷୟକ୍ଷତି ହୋଇନାହଁ।
ବର୍ତ୍ତମାନ ବାଘ ଛୁଆଟିକୁ ପଶୁ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଛି । ସୁସ୍ଥ ହେବା ପରେ ଏହାକୁ ଶିମିଳିପାଳର କୋର୍ ଅଞ୍ଚଳ ଭିତରେ ଥିବା ଏକ ବଡ଼ ଏନକ୍ଲୋଜରକୁ ନିଆଯିବ। ସେଠାରେ ବନ୍ୟପରିବେଶରେ ଶିକାର କରିବାକୁ ସକ୍ଷମ ହେବା ପରେ ବାଘ ଛୁଆଟିକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ବାଘଟି କେଉଁଠୁ ଆସିଲା ଏବଂ କେଉଁ ପରିସ୍ଥିତିରେ ଗାଁ ଭିତରକୁ ପଶିଲା, ସେନେଇ ବନବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି ।

