Manipur’s ‘disturbed area’ status: ମଣିପୁରକୁ ଛଅ ମାସ ପାଇଁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା;ହିଂସାକାଣ୍ଡର ନୂତନ ଉତ୍ତେଜନା ମଧ୍ୟରେ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୁଣିଥରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରକୁ ସମ୍ପୂର୍ଣ୍ଣ ‘ଅଶାନ୍ତ ଅଞ୍ଚଳ’ (disturbed area) ଭାବରେ ଘୋଷଣା କରିଛି।ଶୁକ୍ରବାର ଦିନ ଜାରି କରାଯାଇଥିବା ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ମଣିପୁର ସହିତ ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ‘ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ, ୧୯୫୮’ (AFSPA) କୁ ଅକ୍ଟୋବର ୧ ତାରିଖରୁ ଆରମ୍ଭ କରି ଆଉ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି।
ଗୃହ ମନ୍ତ୍ରଣାଳୟ ମଣିପୁରର ପାଞ୍ଚଟି ଜିଲ୍ଲାରେ ଥିବା ୧୩ଟି ଥାନା ଅଞ୍ଚଳକୁ AFSPA (ଆଫସ୍ପା)ର ପରିସରରୁ ବାଦ୍ ଦେଇଛି। ଏଥିରେ ରାଜଧାନୀ ଇମ୍ଫାଲ ସହିତ ଲାମ୍ପେଲ, ସିଟି, ସିଙ୍ଗଜାମେଇ, ପାଟସୋଇ, ୱାଙ୍ଗୋଇ, ପୋରୋମପାଟ, ହେଇଙ୍ଗାଙ୍ଗ, ଇରିଲବୁଙ୍ଗ, ଥୌବାଲ, ବିଷ୍ଣୁପୁର, ନାମ୍ବୋଲ ଏବଂ କାକଚିଂ ଥାନା ଅଞ୍ଚଳ ଅନ୍ତର୍ଭୁକ୍ତ। ବିଜ୍ଞପ୍ତିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପରିସ୍ଥିତିର ସମୀକ୍ଷା ଆଧାରରେ AFSPAର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ମଧ୍ୟ ଏହାକୁ ପ୍ରତ୍ୟାହାର କରାଯାଇପାରେ।
ସମ୍ବାଦ ସଂସ୍ଥା PTI ର ଏକ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ଦ୍ୱାରା AFSPA ଅଧୀନରେ ‘ଅଶାନ୍ତ ଅଞ୍ଚଳ’ (disturbed areas) ଭାବେ ଘୋଷିତ ନାଗାଲାଣ୍ଡର ନଅଟି ଜିଲ୍ଲା ମଧ୍ୟରେ ଦିମାପୁର, ନିଉଲାଣ୍ଡ, ଚୁମୁକେଡିମା, ମୋନ୍, କିଫିରେ, ନୋକଲାକ୍, ଫେକ୍, ପେରେନ୍ ଏବଂ ମେଲୁରୀ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, କୋହିମା, ମୋକୋକଚୁଙ୍ଗ, ଲଙ୍ଗଲେଙ୍ଗ, ୱୋଖା ଏବଂ ଜୁନହେବୋଟୋ ଜିଲ୍ଲା ଅନ୍ତର୍ଗତ ୨୧ଟି ପୋଲିସ ଷ୍ଟେସନ୍ ଅଞ୍ଚଳକୁ ମଧ୍ୟ ଏହାର ପରିସରଭୁକ୍ତ କରାଯାଇଛି।
ସୂଚନାଥାଉକି,ସଂଘର୍ଷ ଓ ଅଶାନ୍ତିର ସମ୍ମୁଖୀନ ହେଉଥିବା ମଣିପୁର ରାଜ୍ୟରେ ପୁଣିଥରେ ହିଂସାକାଣ୍ଡ ଘଟିଛି। ଶୁକ୍ରବାର ଦିନ କାମଜୋଙ୍ଗ ଜିଲ୍ଲାରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଚାରି ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଆଁମାର ସୀମା ନିକଟସ୍ଥ ପିଲୋଙ୍ଗ ଗ୍ରାମର ଏକ ନିଛାଟିଆ ସ୍ଥାନରେ ମୃତଦେହ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡକୁ ନିନ୍ଦା କରି ମଣିପୁରର ମୁଖ୍ୟମନ୍ତ୍ରୀ ୱାଇ. ଖେମଚାନ୍ଦ ସିଂହ କହିଛନ୍ତି, “ଆମ ସମାଜରେ ଏଭଳି ହିଂସାତ୍ମକ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ ଏବଂ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ।” ସେ ପ୍ରଭାବିତ ପରିବାରବର୍ଗଙ୍କ ନିକଟରେ ମଧ୍ୟ ନିଜର ଗଭୀର ସମବେଦନା ଜଣାଇଥିଲେ ।

