ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ
ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀଜ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଜୋରଦାର ପ୍ରଶଂସା କରିଛନ୍ତି। ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟର ଏକ ବିଶେଷ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ସେ କହିଛନ୍ତି ଯେ, ମାନବ ଇତିହାସର ଯେକୌଣସି ଦଶକ, କ୍ଷେତ୍ର କିମ୍ବା ଦେଶ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ସବୁଠାରୁ ଅଧିକ ସଂଖ୍ୟକ ଲୋକଙ୍କ ନିକଟରେ ଶକ୍ତି ସମ୍ପଦ ସୁଲଭ ହୋଇପାରିଛି। ଏହି ଅଭୂତପୂର୍ବ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତିକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ସମ୍ପ୍ରତି ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ ଏବଂ ହର୍ମୂର୍ଜ ପ୍ରଣାଳୀରେ ସମୁଦ୍ର ପଥ ବାଧାପ୍ରାପ୍ତ ହେବା ଯୋଗୁଁ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷା ନେଇ ଗମ୍ଭୀର ସଙ୍କଟ ଦେଖାଦେଇଛି। ଏହି ଜଟିଳ ପରିସ୍ଥିତିରେ ଅନେକ ପଡ଼ୋଶୀ ଦେଶ ଗୁରୁତର ଇନ୍ଧନ ଅଭାବର ସାମ୍ନା କରୁଥିବା ବେଳେ, ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ ହୋଇଛି। ଭାରତ ପୂର୍ବରୁ ୨୭ଟି ଦେଶରୁ କ୍ରୁଡ୍ ଅଏଲ୍, ଏଲପିଜି ଓ ପିଏନଜି ଆମଦାନୀ କରୁଥିବା ବେଳେ ବର୍ତ୍ତମାନ ଏହାକୁ ୪୧ଟି ଦେଶକୁ ବୃଦ୍ଧି କରିଛି। ୧୪୦ କୋଟି ନାଗରିକଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଭାରତ ନିଜର ଆମଦାନୀ ଉତ୍ସକୁ ବ୍ୟାପକ ଓ ସୁଦୃଢ଼ କରିପାରିଛି।
ଆଲବାନୀଜ ଆହୁରି ମଧ୍ୟ କହିଛନ୍ତି ଯେ ,ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅତ୍ୟନ୍ତ ମଜବୁତ। ଶକ୍ତି, ବାଣିଜ୍ୟ, ମିନେରାଲ୍ସ, ଶିକ୍ଷା ଏବଂ ଭୂ-ରାଜନୀତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ସାମାଜିକ ବିକାଶ ଓ ବିଶ୍ୱ ଶକ୍ତି କ୍ଷେତ୍ରରେ ଭାରତର ସ୍ଥିରତାକୁ ସାରା ବିଶ୍ୱ ବର୍ତ୍ତମାନ ସ୍ୱୀକାର କରୁଛି। ଏତଦବ୍ୟତୀତ, ଭାରତ ନିଜର ଆଭ୍ୟନ୍ତରୀଣ ଇନ୍ଧନ ଆବଶ୍ୟକତା ପୂରଣ କରିବା ସହ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭକୁ ୫.୩ ନିୟୁତ ମେଟ୍ରିକ୍ ଟନରୁ ଅଧିକ ବୃଦ୍ଧି କରିବାକୁ ଯୋଜନା କରିଛି। ବିଶ୍ୱ ବଜାରରେ ସଙ୍କଟ ସତ୍ତ୍ୱେ ଭାରତୀୟ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଯୋଗାଣ ଅବ୍ୟାହତ ରହିବା ଏବଂ ମୂଲ୍ୟ ନିୟନ୍ତ୍ରଣରେ ରହିବା ଭାରତର ସଫଳ ଶକ୍ତି ନୀତିର ପ୍ରମାଣ ଦିଏ।

