Latest Odisha News

BREAKING NEWS

ଚାକିରି ନାଁରେ ବିଛାଯାଇଥିଲା ଜାଲ: ନିମାପଡ଼ା ଗେଷ୍ଟ୍ ହାଉସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ନିମାପଡ଼ା: ଭଲ ଦରମାରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣେ ନିରୀହ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସାଂଘାତିକ ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସ୍ଥାନୀୟ ‘ନନ୍ଦିନୀ ଗେଷ୍ଟ୍ ହାଉସ୍’ରେ ଏହି ଅଭାବନୀୟ କାଣ୍ଡ ଘଟିଥିବା ବେଳେ, ପୁଲିସ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଗେଷ୍ଟ୍ ହାଉସ୍ ସମ୍ମୁଖରେ ପ୍ରବଳ ହୋହଲ୍ଲା କରିବା ଫଳରେ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିଲା ।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଯୁବତୀ ଜଣକ ପୂର୍ବରୁ ଭୁବନେଶ୍ୱରର ଏକ ଗେଷ୍ଟ୍ ହାଉସ୍‌ରେ କାମ କରୁଥିଲେ । ନନ୍ଦିନୀ ଗେଷ୍ଟ୍ ହାଉସ୍‌ରେ କ୍ୟାସିୟର୍ ଭାବେ କାର୍ଯ୍ୟରତ ରମେଶଚନ୍ଦ୍ର ଦାସ ତାଙ୍କ ସହ ପରିଚୟ ସୃଷ୍ଟି କରି ଅଧିକ ଦରମାର ଆଶା ଦେଖାଇ ନିମାପଡ଼ା ଡାକିଥିଲେ । ଏହି କଥାରେ ବିଶ୍ୱାସ କରି ଗତ ସେପ୍ଟେମ୍ବର ୧ ତାରିଖରେ ଯୁବତୀ ଜଣକ ନିମାପଡ଼ା ଆସି କାମରେ ଯୋଗ ଦେଇଥିଲେ । ଚାକିରି କରାଇଦେବା ନାଁରେ ରମେଶ ତାଙ୍କଠାରୁ ୧୫ ହଜାର ୪ ଶହ ଟଙ୍କା ଲୁଟି ନେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଏତଲା ମୁତାବକ, ଗତ ସେପ୍ଟେମ୍ବର ୩ ତାରିଖ ଦିନ ରୁମ୍ ନମ୍ବର ୧୦୧ରେ ରମେଶ ପ୍ରଥମେ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ଏବଂ ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଏହି ଘଟଣାର ମାତ୍ର କିଛି ଦିନ ପରେ ଅର୍ଥାତ୍ ୮ ତାରିଖରେ ରୁମ୍ ନମ୍ବର ୧୦୨ରେ ରାଜା, ଅକ୍ଷୟ ଏବଂ ସୁଶାନ୍ତ ନାମକ ଅନ୍ୟ ତିନି ଜଣ କର୍ମଚାରୀ ତାଙ୍କୁ ପୁଣିଥରେ ଗଣଦୁଷ୍କର୍ମ କରିଥିଲେ । ଲଗାତାର ନିର୍ଯାତନା ଏବଂ ହତ୍ୟା ଧମକରେ ଭୟଭୀତ ହୋଇ ପୀଡ଼ିତା କୌଣସି ମତେ ଖସିଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ।

ସେଠାରେ ସେ ଖଣ୍ଡଗିରି ଥାନାରେ ଆଶ୍ରୟ ନେଇ ସମସ୍ତ ଘଟଣା ବଖାଣିଥିଲେ । କମିସନରେଟ୍ ପୁଲିସ ତୁରନ୍ତ ଏକ ‘ଜିରୋ ଏଫ୍‌ଆଇଆର୍’ ରୁଜୁ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାକୁ ନିମାପଡ଼ା ଥାନାକୁ ହସ୍ତାନ୍ତର କରିଥିଲା । ଏହାପରେ ନିମାପଡ଼ା ପୁଲିସ କେସ୍ ନଂ ୨୯୮/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଲିସର ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ ମାମଲାଟିକୁ ଚାପିଦେବା ସହ ଆପୋସ ବୁଝାମଣା ପାଇଁ ଚାପ ପକାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ତଦନ୍ତକାରୀ ଅଧିକାରୀଙ୍କ ସଫେଇ ଅନୁଯାୟୀ, ଅଭିଯୋଗକାରିଣୀ ନିଜ ବୟାନ ବାରମ୍ବାର ବଦଳାଉଛନ୍ତି ଏବଂ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ମଧ୍ୟ ତାଙ୍କ କଥାରେ ତାଳମେଳ ରହୁନାହିଁ । ବର୍ତ୍ତମାନ ପୁଲିସ ଅଭିଯୋଗ ଆଧାରରେ ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଖୋଳତାଡ଼ ଜାରି ରଖିଛି ।

Leave A Reply

Your email address will not be published.