ପାରଳାଖେମୁଣ୍ଡି: ରାତିରେ ଖାଇବା ପାଇଁ ତିଆରି ହୋଇଥିଲା ଗରମ ଗରମ ରୁଟି । ହେଲେ କିଏ ଜାଣିଥିଲା, ସେହି ରୁଟି ହିଁ ତାଙ୍କ ପାଇଁ ବିଷ ପାଲଟିଯିବ ବୋଲି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଖରଡ଼ା ଗାଁର ଉକ୍ତ ପରିବାର ନିକଟସ୍ଥ ସାତମାଇଲ୍ ଗାଁର ଏକ ଦୋକାନରୁ କିଛି ଗହମ ଅଟା କିଣି ଆଣିଥିଲେ । ସେହି ଅଟାରେ ଘରେ ରୁଟି ପ୍ରସ୍ତୁତ ହୋଇଥିଲା । ପରିବାରର ସମସ୍ତ ସଦସ୍ୟ ଖାଇ ସାରିବାର କିଛି ସମୟ ପରେ ହଠାତ୍ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ସମସ୍ତଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ଏବଂ ପରେ ସେମାନେ ଅଚେତ ହୋଇପଡ଼ିଥିଲେ ।
ଅସୁସ୍ଥ ହୋଇଥିବା ୬ ଜଣ ସଦସ୍ୟ ହେଲେ ସବିତା ରଇତ, ଲକ୍ଷ୍ମୀ ରଇତ, ସିଦିଆ ରଇତ, ଆଷାଢ଼ ଗମାଙ୍ଗ, ଦାଗିଡ଼ି ଗମାଙ୍ଗ ଏବଂ ଅଖିଳ ଗମାଙ୍ଗ। ପରିବାର ଲୋକଙ୍କର ଏଭଳି ଅବସ୍ଥା ଦେଖି ପଡ଼ୋଶୀମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ଡାକ୍ତରଖାନାରେ ଡାକ୍ତରୀ ଦଳଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ସେମାନଙ୍କର ଅବସ୍ଥା ଗୁରୁତର ଥିଲେ ମଧ୍ୟ ଚିକିତ୍ସା ପରେ ସ୍ଥିର ଥିବା ଜଣାପଡିଛି ।
ଅନ୍ୟପକ୍ଷରେ, ଅସୁସ୍ଥତାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଦନ୍ତ ଏବଂ ରୋଗୀଙ୍କ ଲକ୍ଷଣରୁ ଏହା ଫୁଡ୍ ପଏଜନିଂ କାରଣରୁ ହୋଇଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସନ୍ଦେହ କରୁଛନ୍ତି । ବଜାରରୁ ଅଣାଯାଇଥିବା ଉକ୍ତ ଅଟାରେ କୌଣସି ବିଷାକ୍ତ କୀଟନାଶକ ମିଶି ଯାଇଥିଲା ନା ଏହା ବହୁତ ପୁରୁଣା ଓ ନଷ୍ଟ ହୋଇଯାଇଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

