ତେହେରାନ: ଆମେରିକା ଓ ଇସ୍ରାଏଲ୍ ସହ ଚାଲିଥିବା ଭୟଙ୍କର ଯୁଦ୍ଧ ସ୍ଥିତି ମଧ୍ୟରେ ଇରାନରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ପାଠପଢ଼ା ଆରମ୍ଭ ହୋଇଛି। ଦେଶସାରା ବିଦ୍ୟାଳୟଗୁଡ଼ିକର ଖୋଲିଥିଲେ ବି ପିଲାମାନଙ୍କ ମନରୁ ଯୁଦ୍ଧର ଆଶଙ୍କା ଆଦୌ ଦୂର ହୋଇନାହିଁ। ବିମାନ ଆକ୍ରମଣ, ବୋମା ବିସ୍ପୋରଣ ଓ ସାଇରେନ୍ର ଭୟଙ୍କର ଶବ୍ଦ ଭିତରେ କୋମଳମତି ଶିଶୁମାନେ ପୁଣି ଶ୍ରେଣୀଗୃହକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ରିପୋର୍ଟ ଅନୁସାରେ, ଦୀର୍ଘ ଦିନ ଧରି ସ୍କୁଲ ଗୁଡ଼ିକ ବନ୍ଦ ରହିବା ପରେ ଶିକ୍ଷାବର୍ଷକୁ ବଞ୍ଚାଇବା ପାଇଁ ସରକାର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଅନେକ ସ୍କୁଲ ଯୁଦ୍ଧ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶିକ୍ଷକ ଓ ଅଭିଭାବକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ନିଜ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଅଭିଭାବକମାନେ ଆଶଙ୍କା ପ୍ରକାଶ କରୁଛନ୍ତି, କାରଣ ଯେକୌଣସି ମୁହୂର୍ତ୍ତରେ ଆକାଶମାର୍ଗରୁ ଆକ୍ରମଣ ହେବାର ଭୟ ରହିଛି।
ଏହି ଯୁଦ୍ଧ ଇରାନର ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ଅନେକ ଶିଶୁ ନିଜ ସମ୍ପର୍କୀୟ ଓ ସହପାଠୀଙ୍କୁ ହରାଇ ଗଭୀର ମାନସିକ ଆଘାତ ମଧ୍ୟରେ ଗତି କରୁଛନ୍ତି। ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିଲେ ବି ସୁରକ୍ଷା କାରଣରୁ ପିଲାଙ୍କ ମନରେ ଏକାଗ୍ରତା ରହୁନାହିଁ। ଏହା ସତ୍ତ୍ୱେ, ନିଜର ଭବିଷ୍ୟତ ଗଢ଼ିବା ଏବଂ ଶିକ୍ଷା ଅଧିକାର ବଜାୟ ରଖିବା ପାଇଁ ଏହି କୋଳିପୋଛା ଶିଶୁମାନେ ସାହସର ସହ ସ୍କୁଲ ପରିସରକୁ ଆସୁଛନ୍ତି।
ଇରାନ-ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ସାମରିକ ସଂଘର୍ଷ ଦେଶର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ବିଶ୍ୱ ସମୁଦାୟ ଓ ମାନବାଧିକାର ସଂଗଠନଗୁଡ଼ିକ ଶିଶୁମାନଙ୍କ ସୁରକ୍ଷା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମରିକ ଆକ୍ରମଣରୁ ଦୂରେଇ ରଖିବାକୁ ଆହ୍ୱାନ ଜଣାଇଛନ୍ତି। ଯୁଦ୍ଧର ଏହି କଠିନ ସମୟରେ ଇରାନର ଶିକ୍ଷାର୍ଥୀମାନେ ନିଜ ଜୀବନକୁ ବାଜି ଲଗାଇ ଜ୍ଞାନ ଆହରଣ କରିବାକୁ ସଂଗ୍ରାମ ଚଳାଇଛନ୍ତି, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।

