Odisha Textbook Scam: ୧୭୫ କୋଟିର ବହି, ୧୭୪୧ ତ୍ରୁଟି; ପାଠ୍ୟପୁସ୍ତକ ବିବାଦରେ PMO ହସ୍ତକ୍ଷେପ, ମୋହନ ସରକାରଙ୍କୁ ଜବାବ ତଲବ
ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଭିତରେ ଏବେ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)। ପାଠ୍ୟପୁସ୍ତକ ଛାପା ଓ ବଣ୍ଟନରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ନେଇ RTI କର୍ମୀ ଓ ହ୍ୱିସିଲ୍ବ୍ଲୋଅର୍ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ପରେ PMO ପକ୍ଷରୁ ଓଡ଼ିଶା ସରକାରଙ୍କ ଜବାବ ମଗାଯାଇଛି।
ରିପୋର୍ଟ ଅନୁସାରେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ୍ ଏଜୁକେସନ୍ ଆଣ୍ଡ ଲିଟେରେସି ବିଭାଗ ଏହି ଅଭିଯୋଗ ଉପରେ ରାଜ୍ୟର ସ୍କୁଲ୍ ଓ ଗଣଶିକ୍ଷା ବିଭାଗଠାରୁ ଜବାବ ମାଗିଛି। ଅଭିଯୋଗରେ ପାଠ୍ୟପୁସ୍ତକ ଛାପା ପ୍ରକ୍ରିୟାରେ ଦୁର୍ନୀତି, ଆର୍ଥିକ ଅନିୟମିତତା, ସ୍ୱାର୍ଥ ସଂଘାତ ଓ ଅଭିଯୋଗକୁ ଚାପି ଦେବା ଭଳି ଗୁରୁତର ଦାବି କରାଯାଇଛି।
ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ସରକାରୀ ପ୍ରେସ୍ର ଡେପୁଟି ଡାଇରେକ୍ଟର ପାହ୍ୟାର ଜଣେ ଅଧିକାରୀ ୨୦୨୨ରୁ ବିନା ଅନୁମତିରେ ପାଠ୍ୟପୁସ୍ତକ ଛାପା କାମ ଦେଖୁଥିଲେ। ତାଙ୍କ ଦାବି ଅନୁସାରେ, ଏହି ଦାୟିତ୍ୱ ଆଇନଗତ ଭାବେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିବା କଥା। ଏହାସହ ସମ୍ପୃକ୍ତ ଅଧିକାରୀ ନିଜ ପତ୍ନୀଙ୍କ ମାଲିକାନାରେ ଥିବା ଏକ ଘରୋଇ ସଂସ୍ଥାକୁ ଛାପା ଓ ଯୋଗାଣ କାମର ଲାଭଜନକ ଚୁକ୍ତି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି। ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୋଟ ୧୭୪୧ଟି ତ୍ରୁଟି ଚିହ୍ନଟ ହୋଇଥିବା ବେଳେ, ଏହି ବହିଗୁଡ଼ିକର ଛାପା ଓ ପ୍ରକାଶନରେ ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ। ଚିହ୍ନଟ ହୋଇଥିବା ତ୍ରୁଟି ମଧ୍ୟରୁ ୧୦୭୫ଟି ବ୍ୟାକରଣ, ଟାଇପିଂ ଓ ବନାନ ଜନିତ ତ୍ରୁଟି ଥିବା ବେଳେ ୫ଟି ତଥ୍ୟାତ୍ମକ ଓ ଧାରଣାଗତ ତ୍ରୁଟି ରହିଥିଲା। ଏହାଛଡ଼ା ବହିର ଗୁଣବତ୍ତା ସୁଧାର ପାଇଁ ୬୬୧ଟି ପ୍ରସ୍ତାବ ମଧ୍ୟ ଆସିଥିଲା।
ଶ୍ରେଣୀ ୮ର ବହିରେ ସର୍ବାଧିକ ୭୦୭ଟି ତ୍ରୁଟି ଚିହ୍ନଟ ହୋଇଥିଲା। କେବଳ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିରେ ୨୯୪ଟି ତ୍ରୁଟି ଥିବା ଜଣାପଡ଼ିଛି। ତ୍ରୁଟିଗୁଡ଼ିକୁ ସୁଧାରି ସଂଶୋଧିତ ସଂସ୍କରଣର ବହି ଛାପା ଓ ବଣ୍ଟନ କରାଯାଉଛି। ଭବିଷ୍ୟତରେ ଏଭଳି ତ୍ରୁଟି ରୋକିବା ପାଇଁ ବିଷୟ ଓ ଭାଷା ବିଶେଷଜ୍ଞଙ୍କ ଦ୍ୱାରା ଫ୍ୟାକ୍ଟ-ଚେକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।
ଏହି ଘଟଣାରେ ସରକାର ପୂର୍ବତନ ଡାଇରେକ୍ଟର ଏବଂ ତିନିଜଣ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ନିଲମ୍ବିତ କରିଥିବା ସହ ଆଉ ୬ ଜଣ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ଆରମ୍ଭ କରିଛି। ମାମଲାର ତଦନ୍ତ ମଧ୍ୟ ଚାଲିଛି। ଏବେ PMO ଏହି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିବା ପରେ ପାଠ୍ୟପୁସ୍ତକ ଛାପା ପ୍ରକ୍ରିୟାରେ ଉଠିଥିବା ଅଭିଯୋଗର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି।

