CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ୩ ସଦସ୍ୟଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ତେଜିଛି । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ ଦୁଇ ନିର୍ବାଚନ କମିଶନର ବିବେକ ଯୋଶୀ ଓ ସୁଖବୀର ସିଂହ ସାନ୍ଧୁଙ୍କ ମଧ୍ୟରେ SIR ଓ ଭୋଟର ତାଲିକା ସମ୍ବନ୍ଧୀୟ କିଛି ପ୍ରସଙ୍ଗକୁ ନେଇ ମତଭେଦ ସାମ୍ନାକୁ ଆସିଥିବା ରିପୋର୍ଟ ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, CEC କ’ଣ ଦୁଇ ନିର୍ବାଚନ କମିଶନରଙ୍କୁ ସିଧାସଳଖ ପଦରୁ ହଟାଇପାରିବେ? ତେବେ ଆସନ୍ତୁ ଜାଣିବା କ’ଣ କହୁଛି ନିୟମ?
ତେବେ CECଙ୍କ ପାଖରେ ସିଧାସଳଖ ବରଖାସ୍ତ କରିବାର ଅଧିକାର ନାହିଁ। ସମ୍ବିଧାନର ଅନୁଚ୍ଛେଦ ୩୨୪(୫) ଅନୁସାରେ, CECଙ୍କ ବ୍ୟତୀତ ଅନ୍ୟ ନିର୍ବାଚନ କମିଶନରଙ୍କୁ ପଦରୁ ହଟାଇବା ପାଇଁ CECଙ୍କ ସୁପାରିସ ଆବଶ୍ୟକ। ଅର୍ଥାତ୍ CEC ନିଜେ ଆଦେଶ ଦେଇ କୌଣସି ନିର୍ବାଚନ କମିଶନରଙ୍କୁ ପଦରୁ ବାହାର କରିପାରିବେ ନାହିଁ। ସୁପାରିସ ପରେ ଅନ୍ତିମ ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ହାତରେ ରହିଥାଏ। ତେଣୁ CECଙ୍କ ଭୂମିକା ମୁଖ୍ୟତଃ ସୁପାରିସ ପର୍ଯ୍ୟନ୍ତ ସୀମିତ।
ଅନ୍ୟପଟେ, CECଙ୍କୁ ପଦରୁ ହଟାଇବା ପାଇଁ ଅଲଗା ଏବଂ ଅଧିକ କଠୋର ସାମ୍ବିଧାନିକ ପ୍ରକ୍ରିୟା ରହିଛି। ପ୍ରମାଣିତ ଦୁର୍ବ୍ୟବହାର କିମ୍ବା ଅକ୍ଷମତା ଆଧାରରେ ସଂସଦର ଉଭୟ ସଦନରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ପ୍ରସ୍ତାବ ପାରିତ ହେବା ପରେ ରାଷ୍ଟ୍ରପତି CECଙ୍କୁ ପଦରୁ ହଟାଇପାରନ୍ତି। ଏଥିପାଇଁ ଉଭୟ ସଦନରେ ଉପସ୍ଥିତ ଓ ଭୋଟ୍ ଦେଉଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସମର୍ଥନ ସହ ସଦନର ମୋଟ ସଦସ୍ୟ ସଂଖ୍ୟାର ଅଧିକାଂଶ ଆବଶ୍ୟକ। ତେବେ ଅନ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ CECଙ୍କ କ୍ଷେତ୍ରରେ ଏଭଳି ସଂସଦୀୟ ମହାଭିଯୋଗ ପ୍ରକ୍ରିୟା ଲାଗୁ ହୁଏ ନାହିଁ। ସେମାନଙ୍କୁ ହଟାଇବା ପାଇଁ CECଙ୍କ ସୁପାରିସ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆବଶ୍ୟକ।
ସେହିପରି ଚିଫ୍ ଇଲେକ୍ସନ କମିଶନର ଏବଂ ଅନ୍ୟ ଇଲେକ୍ସନ କମିଶନର ଆଇନ, ୨୦୨୩ର ଧାରା ୧୬ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର (CEC) ଏବଂ ନିର୍ବାଚନ କମିଶନରମାନଙ୍କୁ ଆଇନଗତ ସୁରକ୍ଷା ମଧ୍ୟ ମିଳିଛି। ଅର୍ଥାତ୍, ପଦରେ ଥିବା ତିନିଜଣ କମିଶନର ଯଦି ନିଜ ସରକାରୀ ଦାୟିତ୍ୱ ଅନୁସାରେ କୌଣସି ନିଷ୍ପତ୍ତି ନିଅନ୍ତି ଏବଂ ତାହାକୁ କାର୍ଯ୍ୟକାରୀ କରନ୍ତି, ତେବେ ସେହି କାର୍ଯ୍ୟକୁ ନେଇ ସେମାନଙ୍କ ବିରୋଧରେ ମାମଲା କିମ୍ବା ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାରେ ଏହି ଧାରା ସୁରକ୍ଷା ଦେଇଥାଏ। ଏହି ସୁରକ୍ଷା କିଛି ପରିସ୍ଥିତିରେ ପୂର୍ବତନ କମିଶନରମାନଙ୍କ କାର୍ଯ୍ୟକୁ ମଧ୍ୟ ଲାଗୁ ହୁଏ।
ତେବେ ଏହାର ଅର୍ଥ ନୁହେଁ ଯେ ତିନିଜଣ କମିଶନରଙ୍କୁ ପଦରୁ ହଟାଯାଇପାରିବ ନାହିଁ। ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସଂସଦରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ପ୍ରସ୍ତାବ ପାରିତ ହେବା ପରେ ରାଷ୍ଟ୍ରପତି ପଦରୁ ହଟାଇପାରନ୍ତି। ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁପାରିସ ଆଧାରରେ ରାଷ୍ଟ୍ରପତି ପଦରୁ ହଟାଇପାରନ୍ତି।

