ରାୟଗଡ଼ା: ବିଜେଡିରୁ ନିଲମ୍ବିତ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇ ନେତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ରାୟଗଡ଼ା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଏବଂ ରାୟଗଡ଼ା ପୌରପରିଷଦର ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀଙ୍କୁ ଦଳରୁ ସସପେଣ୍ଡ କରିଛି ବିଜୁ ଜନତା ଦଳ। ଏହି ଘଟଣା ପଛରେ ରାୟଗଡ଼ା ବିଜେଡିର ସାଂଗଠନିକ ବିବାଦକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।
ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସସପେନ୍ସନ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି। ବିଜେଡିର ସାଧାରଣ ସମ୍ପାଦକ ବିଜୟ ନାୟକ ଏନେଇ ଚିଠି ଜାରି କରିଛନ୍ତି। ପୂର୍ବରୁ ଗତ ବର୍ଷ ଏନ୍. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ଅନେକ ନେତା ବିଜେଡି ଛାଡ଼ିଥିଲେ । ଏନ୍. ଭାସ୍କର ରାଓ ଦଳ ଛାଡ଼ିବା ପରେ ‘ବିଜୁ ସ୍ୱାଭିମାନ ମଞ୍ଚ’ ଗଠନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏହି ମଞ୍ଚ ପକ୍ଷରୁ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସଭା ଓ ସାଂଗଠନିକ କାର୍ଯ୍ୟକ୍ରମ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଏବେ ମହେଶ ପଟ୍ଟନାୟକଙ୍କୁ ସସପେଣ୍ଡ କରାଯିବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ଓ ପୌର ରାଜନୀତିକ ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାୟଗଡ଼ାରେ ବିଜେଡିର ଆଭ୍ୟନ୍ତରୀଣ ମତଭେଦ ଓ ନୂଆ ରାଜନୈତିକ ସଂଗଠନର ସକ୍ରିୟତା ମଧ୍ୟରେ ଏହି ନିଲମ୍ବନକୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି । ଧୀରେ ଧୀରେ ରାୟଗଡ଼ା ବିଜେଡି ଭାଡ଼ି ଖାଲି ହେଉଥିବା ବେଳେ ଆଗାମୀ ସ୍ଥିତି କଣ ହେବ ତାକୁ ହିଁ ଅପେକ୍ଷା ।

