Latest Odisha News

BREAKING NEWS

‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ୍ ପୁଣି ଥରେ ରୂପେଲି ପରଦାରେ ନିଜର ଯାଦୁ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିବା ପରେ ବିଦ୍ୟା ନିକଟରେ ‘ଭୁଲ୍ ଭୁଲୈୟା ୩’ (୨୦୨୪)ରେ ନଜର ଆସିଥିଲେ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି । ବିଦ୍ୟା ଖୁବ୍ ଶୀଘ୍ର ଏକ ନୂଆ ତାମିଲ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଏବଂ ବିଶେଷ କଥା ହେଉଛି ଯେ ଏହି ଫିଲ୍ମରେ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଆର୍. ବାଲ୍କିଙ୍କ ସହ କାମ କରିବାକୁ ଯାଉଛନ୍ତି । ଦୀର୍ଘ ୧୭ ବର୍ଷ ପରେ ଏହି ସଫଳ ଯୋଡ଼ି ପୁଣିଥରେ ଏକାଠି ହେଉଛନ୍ତି, ଯାହାକୁ ନେଇ ସିନେମା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଦୁଇ ଜଣ ପୂର୍ବରୁ ବ୍ଲକ୍‌ବଷ୍ଟର୍ ଫିଲ୍ମ ‘ପା’ ରେ ସଫଳତାର ସହ ମିଳିତ ଭାବେ କାମ କରିଥିଲେ, ଯେଉଁଥିରେ ବିଦ୍ୟା ଅମିତାଭ ବଚ୍ଚନଙ୍କ ମା’ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ । ଏବେ ପୁଣି ଥରେ ଦର୍ଶକ ଏହି ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କ ଯୁଗଳବନ୍ଦୀ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

ବିଦ୍ୟା ନିକଟରେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ବିହାଇଣ୍ଡ ଦି ସିନ୍‌ସ୍ ଫଟୋ ଶେୟାର କରି ନିଜର ଆଗାମୀ ଫିଲ୍ମ ସମ୍ପର୍କରେ ଇସାରା ଦେଇଛନ୍ତି । ଏହି ଫଟୋରେ ସେ ସ୍କ୍ରିପ୍ଟ ପଢୁଥିବାର ନଜର ଆସିଛନ୍ତି । ଏହାସହ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି- “ନୂଆ ଆରମ୍ଭ.. ନୂଆ ତାମିଲ ଫିଲ୍ମ.. ଆର୍ ବାଲ୍କିଙ୍କ ସହ।” ଫଟୋରେ ସେ ଏକ ସାର୍ଟ ପିନ୍ଧିଥିବା ବେଳେ ତାଙ୍କର ଲମ୍ବା ବେଣୀ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି । ସୂଚନା ଅନୁସାରେ, ସେହି ଗେଟ୍‌ଅପ୍‌ଟି ତାଙ୍କ ଫିଲ୍ମ କ୍ୟାରେକ୍ଟର ହୋଇଥାଇପାରେ ।

ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମର ଟାଇଟଲ୍ ଓ ସୁଟିଂ ତାରିଖ ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ତେବେ ଲମ୍ବା ସମୟ ପରେ ବିଦ୍ୟାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.