ନାଗୋୟା (ଜାପାନ): ଏସୀୟ କ୍ରୀଡ଼ା କ୍ରିକେଟ୍ର ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ୍ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୧୨୪ ରନ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି । ଆସନ୍ତା ଶନିବାର ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ ପୁଣି ଥରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କରମର୍ଦ୍ଦନ (ହାତମିଳା) କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଗତବର୍ଷ ଅପରେସନ୍ ସିନ୍ଦୂର ପରଠାରୁ ଭାରତୀୟ ସେନା ପ୍ରତି ସମ୍ମାନ ଓ ସମର୍ଥନ ଜଣାଇ ଏସିଆ କପ୍ ଏବଂ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଭାରତୀୟ କ୍ରିକେଟର୍ମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବା ବନ୍ଦ କରିଛନ୍ତି ।
ଏସୀୟ ଅଲମ୍ପିକ ପରିଷଦ କିମ୍ବା ଆନ୍ତର୍ଜାତୀୟ ଅଲମ୍ପିକ କମିଟି ନିୟମାବଳୀରେ ହାତ ମିଳାଇବା ବାଧ୍ୟତାମୂଳକ ନୁହେଁ, ମାତ୍ର ଏହାକୁ ଖେଳାଡ଼ିମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଓ କ୍ରୀଡ଼ା ସୁଲଭ ଆଚରଣର ଏକ ପରମ୍ପରା ଭାବେ ଗ୍ରହଣ କରାଯାଏ ଚାଲିଥିବା ଏସୀୟ କ୍ରୀଡ଼ାର ଟେବୁଲ ଟେନିସ ଓ ସ୍କ୍ୱାସ୍ ଭଳି ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାରତୀୟ ଆଥଲେଟ୍ମାନେ ପାକିସ୍ତାନୀ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ହାତ ମିଳାଉଥିବା ଦେଖାଯାଇଛି । କ୍ରିକେଟ ଦଳ ଏହି ନୋ-ହ୍ୟାଣ୍ଡସେକ ନୀତି କାଏମ ରଖିବ ନା ନାହିଁ, ସେ ନେଇ ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ ନାଗୋୟାରେ ପହଞ୍ଚିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହି ମ୍ୟାଚ୍ରେ ଆଇସିସି ଚେୟାରମ୍ୟାନ୍ ଜୟ ଶାହ ମଧ୍ୟ ଉପସ୍ଥିତ ରହିବାର କାର୍ୟ୍ୟକ୍ରମ ରହିଛି । ମ୍ୟାଚ୍ ପରେ ହାତମିଳା ହେଉ କି ନହେଉ, ପଦକ ବିତରଣ ଉତ୍ସବରେ ଦୁଇ ଦଳକୁ ଗୋଟିଏ ପୋଡିୟମ୍ରେ ଛିଡ଼ା ହେବାକୁ ପଡ଼ିବ, ଯେପରି ଗତ ସପ୍ତାହରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳ ପାକିସ୍ତାନ ସହ ପୋଡିୟମ ସେୟାର କରିଥିଲେ ।

