କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ ସଚେତନ କରିବ ‘ସୋଲାର ରଥ’
ଫୁଲବାଣୀ: ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ମାସବ୍ୟାପୀ ‘ସେବା ସେତୁ ଅଭିଯାନ’ ଅଧୀନରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ଏବଂ ସୌର ଶକ୍ତି ଆପଣାଇବା ଦିଗରେ ଉପଭୋକ୍ତାଙ୍କୁ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ବେଦଭୂଷଣ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, କନ୍ଧମାଳ ଏବଂ ଅମିତ କୁମାର ଗର୍ଗ , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ଉପସ୍ଥିତିରେ ମିଳିତ ଭାବେ ପତାକା ଦେଖାଇ ‘ସୋଲାର ରଥ’ର ଶୁଭାରମ୍ଭ ହୋଇଛି।
‘ସୋଲାର ରଥ’ କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍—ବାଲିଗୁଡ଼ା, ଚକାପାଦ, ଦାରିଙ୍ଗବାଡ଼ି, ଜି. ଉଦୟଗିରି, କେ. ନୂଆଗାଁ, ଖଜୁରୀପଡ଼ା, କୋଟଗଡ଼, ଫିରିଙ୍ଗିଆ, ଫୁଲବାଣୀ, ରାଇକିଆ, ଟିକାବାଲି ଏବଂ ତୁମୁଡ଼ିବନ୍ଧ—ପରିକ୍ରମା କରିବ। ଏହା ମାଧ୍ୟମରେ ଗାଁ, ଗ୍ରାମ ପଞ୍ଚାୟତ, ସ୍ଥାନୀୟ ହାଟ, ବଜାର ଏବଂ ଜନସମାଗମ ସ୍ଥଳରେ ସିଧାସଳଖ ଭାବେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ। ଏଥିସହ ସହର ଓ ଅର୍ଦ୍ଧ-ସହରାଞ୍ଚଳରେ ମଧ୍ୟ ଉପଭୋକ୍ତାଙ୍କ ନିକଟରେ ଏହି ସୂଚନା ପହଞ୍ଚାଯିବ।
ଅଡିଓ ଜିଙ୍ଗଲ୍, ସୂଚନାମୂଳକ ପ୍ରଚାରପତ୍ର ଏବଂ ଆଇଇସି ସାମଗ୍ରୀ ମାଧ୍ୟମରେ ‘ସୋଲାର ରଥ’ ପକ୍ଷରୁ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କିତ ପ୍ରମୁଖ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଯିବ। ଏଥିରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ଲାଭ, ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ସରକାରୀ ସବସିଡି ଏବଂ ଉପଲବ୍ଧ ଆର୍ଥିକ ସହାୟତା ସମ୍ପର୍କରେ ସୂଚନା ଦିଆଯିବ। ଏହା ସହିତ ଟିପିଏସ୍ଓଡିଏଲ୍ର ଟିମ୍ ଉପଭୋକ୍ତାଙ୍କ ସହ ସିଧାସଳଖ ଆଲୋଚନା କରିବା, ସେମାନଙ୍କ ପ୍ରଶ୍ନର ସମାଧାନ କରିବା ସହ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ଓ ସୌର ଶକ୍ତି ଆପଣାଇବା ପ୍ରକ୍ରିୟାକୁ ଅଧିକ ସହଜରେ ବୁଝିବାରେ ସହାୟତା କରିବ।
ଏହି ଅବସରରେ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ସୋଲାର ରଥ ମାଧ୍ୟମରେ କନ୍ଧମାଳର ବିଭିନ୍ନ ଅଞ୍ଚଳର ଉପଭୋକ୍ତା ଓ ସମୁଦାୟଙ୍କ ନିକଟରେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ବାର୍ତ୍ତା ପହଞ୍ଚାଯାଉଛି। ଏହି ପଦକ୍ଷେପ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସମ୍ପର୍କିତ ସୂଚନାକୁ ସରଳ ଭାବେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା, ସେମାନଙ୍କ ପ୍ରଶ୍ନର ସମାଧାନ କରିବା ଏବଂ ଅଧିକରୁ ଅଧିକ ପରିବାରକୁ ସୌର ଶକ୍ତିର ଲାଭ ବିଷୟରେ ଜାଣିବାକୁ ଉତ୍ସାହିତ କରିବା ଆମର ଲକ୍ଷ୍ୟ। ବିଶେଷକରି ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ଉପଭୋକ୍ତାଙ୍କ ନିକଟରେ ସୂଚନା ପହଞ୍ଚାଇବା ଏହି ପଦକ୍ଷେପର ଏକ ପ୍ରମୁଖ ଉଦ୍ଦେଶ୍ୟ। ସ୍ୱଚ୍ଛ ଶକ୍ତିକୁ ଅଧିକ ସୁଗମ କରିବା ସହିତ ଦକ୍ଷିଣ ଓଡ଼ିଶାର ଅକ୍ଷୟ ଶକ୍ତି ଯାତ୍ରାରେ ଉପଭୋକ୍ତାମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ଆମର ଉଦ୍ଦେଶ୍ୟ।”
‘ସୋଲାର ରଥ’ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନକୁ ପ୍ରୋତ୍ସାହିତ କରିବା ଦିଗରେ ଟିପିଏସ୍ଓଡିଏଲ୍ର ବ୍ୟାପକ ଆଇଇସି ଏବଂ ଉପଭୋକ୍ତା ସଚେତନତା ପ୍ରୟାସର ଏକ ଅଂଶ। ସୂଚନାର ଅଭାବକୁ ଦୂର କରିବା ସହ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରିବାକୁ ଆଗ୍ରହୀ ପରିବାରଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ଡିସକମ୍ ପକ୍ଷରୁ ସମୁଦାୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଗ୍ରାମ ପଞ୍ଚାୟତସ୍ତରୀୟ ଯୋଗାଯୋଗ ଏବଂ ଉପଭୋକ୍ତାଙ୍କ ସହ ସିଧାସଳଖ ଆଲୋଚନା କରାଯାଉଛି।
ମାସବ୍ୟାପୀ ‘ସେବା ସେତୁ ଅଭିଯାନ’ ମାଧ୍ୟମରେ ସରକାରୀ ଯୋଜନା ଓ ସେବା ସମ୍ପର୍କିତ ସୂଚନାକୁ ତୃଣମୂଳସ୍ତରରେ ନାଗରିକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ମଞ୍ଚ ପ୍ରଦାନ କରାଯାଉଛି। ସ୍ଥାନୀୟସ୍ତରରେ ସଚେତନତା ସୃଷ୍ଟି ଓ ଆବଶ୍ୟକ ସହାୟତା ମାଧ୍ୟମରେ ଏହି ଅଭିଯାନ ଯୋଗ୍ୟ ହିତାଧିକାରୀଙ୍କୁ ସମ୍ପୃକ୍ତ ସରକାରୀ ଯୋଜନା ଓ ସେବା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି।
ଛାତ ଉପରେ ସୌର ପ୍ୟାନେଲ୍ ଲଗାଇବାର ଲାଭ ଓ ସୁବିଧା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଟିପିଏସ୍ଓଡିଏଲ୍ କନ୍ଧମାଳ ଜିଲ୍ଲାର ଅଧିକରୁ ଅଧିକ ପରିବାର ନିକଟରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ର ସୂଚନା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ‘ସୋଲାର ରଥ’, ଆଇଇସି ସାମଗ୍ରୀ, ରେଡିଓ ଜିଙ୍ଗଲ୍ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ସୌର ପ୍ୟାନେଲ୍ ଲଗାଇବାର ଲାଭ, ପ୍ରକ୍ରିୟା ଓ ଉପଲବ୍ଧ ସୁବିଧା ବିଷୟରେ ସଚେତନ କରାଯିବ ଏବଂ ଅଧିକରୁ ଅଧିକ ପରିବାରକୁ ସୌର ଶକ୍ତି ଆପଣାଇବା ପାଇଁ ଉତ୍ସାହିତ କରାଯିବ।

