Latest Odisha News

BREAKING NEWS

ମଝି ଆକାଶରେ ଅଦମ୍ୟ ସାହସ ଓ ହନୁମାନ ଚାଳିଶା ପାଠ: ଫ୍ଲାଇ-ଦୁବାଇ ହିରୋ ସ୍ମିତଙ୍କୁ ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ଦେବାକୁ ଦାବି

ନୂଆଦିଲ୍ଲୀ: ମଝି ଆକାଶରେ ନିଜ ଜୀବନକୁ ବାଜି ଲଗାଇ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସାହସୀ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ‘ଅଶୋକ ଚକ୍ର’ ପ୍ରଦାନ କରିବାକୁ ଦାବି ଜୋର ଧରିଛି । ଇଣ୍ଡିଆନ୍ କମର୍ସିଆଲ୍ ପାଇଲଟ୍ସ ଆସୋସିଏସନ୍ ସମେତ ମହାରାଷ୍ଟ୍ରର ଶିବସେନା ସାଂସଦ ମିଲିନ୍ଦ ଦେଓରା ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୃଢ଼ ସୁପାରିସ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଦୁବାଇରୁ ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଇ-ଦୁବାଇର ଏକ ବିମାନରେ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନର କକ୍‌ପିଟ୍ ମଧ୍ୟରେ ଓମାନର ଜଣେ କୋ-ପାଇଲଟ୍ ହଠାତ୍ ଉଗ୍ର ରୂପ ଧାରଣ କରି ସମସ୍ତ ଯାତ୍ରୀଙ୍କୁ ମାରିଦେବା ଉଦ୍ଦେଶ୍ୟରେ ବିମାନଟିକୁ କ୍ରାସ୍ କରିଦେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମୁଖ୍ୟ ଚାଳକ କ୍ୟାପଟେନ୍ ସ୍ମିତ୍ ତାଙ୍କୁ ବାଧା ଦେବାରୁ ସେ ଗୁରୁତର ଭାବେ ଛୁରାମାଡ଼ର ଶିକାର ହୋଇଥିଲେ । ରକ୍ତାକ୍ତ ଅବସ୍ଥାରେ ମଧ୍ୟ ହାର୍ ନମାନି ନିଜର ଦୀର୍ଘ ୧୧ ବର୍ଷର ଉଡ଼ାଣ ଅଭିଜ୍ଞତା ଖଟାଇ ସେ ସେହି ଆତତାୟୀ କୋ-ପାଇଲଟ୍‌ଙ୍କ ସହ ଲଢ଼େଇ କରି ବିମାନର ନିୟନ୍ତ୍ରଣ ରକ୍ଷା କରିଥିଲେ । ଶେଷରେ ଯାତ୍ରୀଙ୍କ ସହାୟତାରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ଶତାଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ସାଂସଦ ମିଲିନ୍ଦ ଦେଓରା ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, କ୍ୟାପଟେନ୍ ସ୍ମିତଙ୍କ ଏହି ଅସାଧାରଣ ସାହସିକତା ୧୯୮୬ ମସିହାର ପ୍ୟାନ୍ ଆମ୍ ବିମାନ ହାଇଜାକ୍ ବେଳେ ପ୍ରାଣବଳି ଦେଇଥିବା ସାହସୀ ବିମାନ ସେବିକା ନୀରଜା ଭାନୋତଙ୍କ ବୀରତ୍ୱ ସହ ସମାନ । ନୀରଜାଙ୍କୁ ପରବର୍ତ୍ତୀ ସମୟରେ ‘ଅଶୋକ ଚକ୍ର’ ପ୍ରଦାନ କରାଯାଇଥିଲା । ଏବେ କ୍ୟାପଟେନ୍ ସ୍ମିତଙ୍କ ଉପସ୍ଥିତ ବୁଦ୍ଧି ଓ ଆତ୍ମବଳିଦାନର ଭାବନା ପୂରା ବିଶ୍ୱ ଦରବାରରେ ଭାରତର ଟେକ ରଖିଛି, ତେଣୁ ସେ ମଧ୍ୟ ଏହି ସର୍ବୋଚ୍ଚ ସମ୍ମାନର ଯୋଗ୍ୟ ଦାବିଦାର ଅଟନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପଟେନ୍ ସ୍ମିତଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଆହତ ଅବସ୍ଥାରେ ୟୁଏଇରେ ଚିକିତ୍ସିତ ହେଉଥିବା ସ୍ମିତ୍ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ସଂଘର୍ଷ ସମୟରେ ତାଙ୍କ ପାଖରେ ମାତ୍ର କିଛି ସେକେଣ୍ଡର ସମୟ ଥିଲା । ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଲଗାତାର ‘ହନୁମାନ ଚାଳିଶା’ ପାଠ କରୁଥିଲେ, ଯାହା ତାଙ୍କୁ କକ୍‌ପିଟ୍ କବାଟ ଖୋଲିବାକୁ ଏବଂ ଯାତ୍ରୀଙ୍କୁ ରକ୍ଷା କରିବାକୁ ଅସୀମ ଶକ୍ତି ଯୋଗାଇଥିଲା ।

ଏହି ବୀରତ୍ବ କାମ ପାଇଁ ଗୁଜରାଟ ସରକାର ତାଙ୍କୁ ସ୍ୱତନ୍ତ୍ର ଭାବେ ‘ବିଶିଷ୍ଟ ଗୁଜରାଟ ଗରିମା ଆୱାର୍ଡ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏଥିସହ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ କ୍ୟାପଟେନ୍ ସ୍ମିତଙ୍କୁ ଏକ ଦ୍ୱିତୀୟ ‘୯/୧୧’ ଭଳି ଆତଙ୍କୀ ଘଟଣାକୁ ରୋକିଥିବା ଅସଲ ହିରୋ ଭାବେ ଉଚ୍ଚ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ସମଗ୍ର ଦେଶ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଥିବା ବେଳେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଭାରତୀୟ ସନ୍ତାନଙ୍କ ଅତୁଳନୀୟ ସାହସିକତାକୁ ବିଚାରକୁ ନେଇ ସମ୍ମାନିତ କରୁ ବୋଲି ଦାବି ହେଉଛି ।

Leave A Reply

Your email address will not be published.