Latest Odisha News

BREAKING NEWS

ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାଜ୍ୟରୁ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ଦିଗରେ ଓଡ଼ିଶା ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କୁପ୍ରଥାକୁ ମୂଳରୁ ଉତ୍ପାଟନ କରିବା ଲକ୍ଷ୍ୟରେ ଶୁକ୍ରବାର ଦିନ ରାଜ୍ୟବ୍ୟାପୀ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ନାମକ ଏକ ୪୪ ଦିନିଆ ସ୍ୱତନ୍ତ୍ର ଜନସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରି ରାଜ୍ୟବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ, ଶିଶୁ ଶ୍ରମିକ ପ୍ରଥା ହେଉଛି ଆମ ସମାଜ ପାଇଁ ଏକ ବଡ଼ କଳଙ୍କ ଏବଂ ସାମାଜିକ ବ୍ୟାଧି । ଏହା କୋମଳମତି ଶିଶୁ ତଥା କିଶୋରମାନଙ୍କୁ ସେମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଶିକ୍ଷା ଅଧିକାରରୁ ବଞ୍ଚିତ କରୁଛି । ଗାନ୍ଧୀ ଜୟନ୍ତୀର ପବିତ୍ର ଅବସରରେ ରାଜ୍ୟ ସରକାର ଓଡ଼ିଶାକୁ ଏହି କୁପ୍ରଥାରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଯେଉଁ ଦୃଢ଼ ସଂକଳ୍ପ ନେଇଛନ୍ତି, ତାହାକୁ ବାସ୍ତବ ରୂପ ଦେବା ପାଇଁ ଏହି ୪୪ ଦିନିଆ ଅଭିଯାନ ପ୍ରସ୍ତୁତ କରାଯାଇଛି ।

ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଶିଶୁ ଶ୍ରମିକ ନିଯୁକ୍ତି ବିରୋଧରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଏବଂ ସାମୂହିକ ଉଦ୍ୟମକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଶିଶୁ ଶ୍ରମିକ ପ୍ରଥା ଦୂର କରିବା କେବଳ ସରକାର କିମ୍ବା ପ୍ରଶାସନର ଏକକ ଦାୟିତ୍ୱ ନୁହେଁ, ବରଂ ଏହା ଆମ ସମସ୍ତଙ୍କର ସାମୂହିକ କର୍ତ୍ତବ୍ୟ।

ଗୋଟିଏ ‘ସମୃଦ୍ଧ ଓଡ଼ିଶା’ ଗଠନ କରିବାର ମୂଳଦୁଆ ହେଉଛି ଆମ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ । ଯେଉଁଠି ପ୍ରତ୍ୟେକ ପିଲା ଖୋଲା ଆକାଶ ତଳେ ନିଜର ସ୍ୱପ୍ନ ଦେଖିପାରିବେ ଏବଂ ତାହାକୁ ପୂରଣ କରିବା ପାଇଁ ସମର୍ଥ ହେବେ, ସେଭଳି ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଏହି ଅଭିଯାନରେ ବହୁଳ ମାତ୍ରାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଶେଷ ଥର ପାଇଁ ୧୯୯୭ ମସିହାରେ ଶିଶୁ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସର୍ବେକ୍ଷଣ କରାଯାଇଥିଲା । ସେହି ସମୟର ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୋଟ ୨,୧୫,୨୨୨ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ । ତେବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତଥ୍ୟ ଅନୁସାରେ, ସେବେଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବିଧିବଦ୍ଧ ସର୍ବେକ୍ଷଣ କରାଯାଇ ନାହିଁ ।

Leave A Reply

Your email address will not be published.