ନ୍ୟୁ ଚଣ୍ଡୀଗଡ଼: ମୁଲ୍ଲାନ୍ପୁରରେ ଖେଳାଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍ରେ କେ.ଏଲ୍. ରାହୁଲଙ୍କ ଚମତ୍କାର ଶତକ ବଳରେ ଭାରତ ୩୫୧/୭ ରନର ବିଶାଳ ସ୍କୋର ଛିଡ଼ା କରିଛି । ରାହୁଲ ମାତ୍ର ୮୭ ବଲ୍ରୁ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ଅପରାଜିତ ୧୨୯ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି । ଏହି ଶତକ ସହ ରାହୁଲ ଭାରତ ପାଇଁ ୫ମ ସ୍ଥାନରେ ବ୍ୟାଟିଂ କରି ସର୍ବାଧିକ ଶତକ ହାସଲ କରିବା ମାମଲାରେ ପୂର୍ବତନ ଅଧିନାୟକ ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଧୋନି ୮୩ଟି ଇନିଂସରୁ ୪ଟି ଶତକ ହାସଲ କରିଥିବା ବେଳେ ରାହୁଲ ମାତ୍ର ୩୬ଟି ଇନିଂସରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଯୁବରାଜ ସିଂ ୯୨ଟି ଇନିଂସରୁ ୭ଟି ଶତକ ସହ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ।
ଏହି ମ୍ୟାଚରେ ଶୁଭମନ ଗିଲ (୧) ଓ ବିରାଟ କୋହଲି (୦) ଶୀଘ୍ର ଆଉଟ୍ ହୋଇଯାଇଥିଲେ । ରୋହିତ ଶର୍ମା (୯୨) ଓ ଲୋକେଶ ରାହୁଲ(୧୨୯ ), ରୁତୁରାଜ ଗାଏକୱାଡ (୫୭) ଦଳକୁ ସମ୍ଭାଳିଥିଲେ । ୧୪୧/୩ ସ୍ଥିତିରେ ବ୍ୟାଟିଂ କରିବାକୁ ଆସି ରାହୁଲ ଭାରତକୁ ବିଶାଳ ସ୍କୋର ଆଡ଼କୁ ନେଇଯାଇଥିଲେ । ୫ମ ସ୍ଥାନରେ ଭାରତ ପାଇଁ ସର୍ବାଧିକ ଶତକ: ୟୁବରାଜ ସିଂହ: ୭ ଶତକ (୯୨ ଇନିଂସ), ଏମ.ଏସ. ଧୋନି: ୪ ଶତକ (୮୩ ଇନିଂସ), କେ.ଏଲ୍. ରାହୁଲ: ୪ ଶତକ (୩୬ ଇନିଂସ), ସୁରେଶ ରାଇନା: ୩ ଶତକ (୯୩ ଇନିଂସ) ।

