Latest Odisha News

BREAKING NEWS

ଗଞ୍ଜାମରେ ଟିପିଏସ୍ଓଡିଏଲ୍‌ର ମେଗା ‘ସେବା ସେତୁ’ କ୍ୟାମ୍ପ…

ଗୋଟିଏ ଦିନରେ ୨୮୦ ଉପଭୋକ୍ତା ରୁଫଟପ୍ ସୋଲାର ପାଇଁ ପଞ୍ଜୀକରଣ କଲେ

ବ୍ରହ୍ମପୁର: ଗଞ୍ଜାମରେ ଟିପିଏସ୍ଓଡିଏଲ୍‌ର ମେଗା ‘ସେବା ସେତୁ’ କ୍ୟାମ୍ପ ଆୟୋଜିତ କରାଯାଇଛି।

ରୁଫଟପ୍ ସୋଲାର ସମ୍ପର୍କିତ ସୂଚନା ଓ ସୁବିଧାକୁ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ମାସବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ର ଅଂଶ ଭାବେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଡିଆର୍‌ଡିଏର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ବୃହତ୍ ‘ସେବା ସେତୁ’ ଶିବିର ଆୟୋଜନ କରାଯାଇଛି।

ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ବଢ଼ାଇବା, ଉପଭୋକ୍ତାଙ୍କୁ ସହାୟତା ଯୋଗାଇବା ଏବଂ ରୁଫଟପ୍ ସୋଲାର ଗ୍ରହଣକୁ ତ୍ୱରାନ୍ୱିତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଶିବିରରେ କୃଷ୍ଣ ଚନ୍ଦ୍ର ନାୟକ, ବିଧାୟକ, ଛତ୍ରପୁର ଏବଂ କୀର୍ତ୍ତି ଭାସନ୍ ଭି., ଆଇଏଏସ୍, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମ ଯୋଗଦେଇଥିଲେ। ଏହା ସହିତ ଏମ୍‌ଏନ୍‌ଆର୍‌ଇର ବୈଜ୍ଞାନିକ ହିରେନ୍ ଚନ୍ଦ୍ର ବୋରା, ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସାଇଦତ୍ତ ବିପ୍ଲବ ପ୍ରଧାନ ଆଭାଷୀ ମାଧ୍ୟମରେ ଯୋଗ ଦେଇଥିଲେ। ଏଥିସହିତ ଆର୍‌ଇସିର ସିପିଏମ୍ ଏ. ଶ୍ୟାମାପ୍ରସାଦ ରାଓ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ।

ଉପଭୋକ୍ତାଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୂଚନା ଓ ସହାୟତା ଯୋଗାଇବା ପାଇଁ ଏହି ଶିବିରକୁ ଏକ ‘ସିଙ୍ଗଲ୍ ୱିଣ୍ଡୋ’ ସୁବିଧା କେନ୍ଦ୍ର ଭାବେ ଆୟୋଜନ କରାଯାଇଥିଲା। ଏଠାରେ ବ୍ୟାଙ୍କ ଅଧିକାରୀ, ଆର୍‌ଇସିର ପ୍ରତିନିଧି, ତାଲିକାଭୁକ୍ତ ସୋଲାର ଭେଣ୍ଡର ଏବଂ ଟିପିଏସ୍ଓଡିଏଲ୍‌ର ଟିମ୍ ଏକାଠି ହୋଇ ଉପଭୋକ୍ତାଙ୍କୁ ରୁଫଟପ୍ ସୋଲାର ସମ୍ପର୍କିତ ବିଭିନ୍ନ ବିଷୟରେ ସହାୟତା ପ୍ରଦାନ କରିଥିଲେ। ଏଥିରେ ଯୋଜନାର ସୁବିଧା, ଯୋଗ୍ୟତା, ସରକାରୀ ସବସିଡି, ଋଣ ଓ ଅର୍ଥ ଯୋଗାଣ ବ୍ୟବସ୍ଥା, ସୋଲାର ଭେଣ୍ଡର ଚୟନ, ଆବଶ୍ୟକ କାଗଜପତ୍ର, ସ୍ଥାପନ ଏବଂ ଆବେଦନ ପ୍ରକ୍ରିୟା ଭଳି ବିଭିନ୍ନ ବିଷୟରେ ଉପଭୋକ୍ତାଙ୍କୁ ଜଣାଯାଇଛି।

ଏହି ବୃହତ୍ ଶିବିରରେ ଗୋଟିଏ ଦିନରେ ୨୮୦ ଜଣ ଉପଭୋକ୍ତା ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍‌ଏ ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ପାଇଁ ପଞ୍ଜୀକରଣ କରିଥିଲେ।

ଟିପିଏସ୍ଓଡିଏଲ୍‌ର ତରଫରୁ ରୁଫଟପ୍ ସୋଲାର ଗ୍ରହଣ କ୍ଷେତ୍ରରେ ଗଞ୍ଜାମ ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୩,୪୪୨ଟି ରୁଫଟପ୍ ସୋଲାର ସ୍ଥାପନ କରାଯାଇଛି। ରୁଫଟପ୍ ସୋଲାରର ଆର୍ଥିକ ଓ ପରିବେଶଗତ ଲାଭ ସମ୍ପର୍କରେ ଉପଭୋକ୍ତାଙ୍କ ଆଗ୍ରହ ବଢ଼ିବା ସହ ନିରନ୍ତର ସଚେତନତା, ସହାୟତା ଓ କାର୍ଯ୍ୟାନ୍ୱୟନ ଉଦ୍ୟମ ଯୋଗୁଁ ଗଞ୍ଜାମରେ ରୁଫଟପ୍ ସୋଲାରର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି।

ଦକ୍ଷିଣ ଓଡ଼ିଶାର ଏହାର ଆଠଟି ଜିଲ୍ଲାରେ ରୁଫଟପ୍ ସୋଲାରକୁ ପ୍ରୋତ୍ସାହନ ଦେବା ପାଇଁ ଟିପିଏସ୍ଓଡିଏଲ୍ ବିଭିନ୍ନ ସ୍ତରରେ ପଦକ୍ଷେପ ନେଉଛି। ଏଥିପାଇଁ ବିଭିନ୍ନ ସୋଲାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ‘ସେବା ସଙ୍କଳ୍ପ ଅଭିଯାନ’ର ଅଂଶ ଭାବେ ଦକ୍ଷିଣ ଓଡ଼ିଶାର ଆଠଟି ଜିଲ୍ଲାରେ ‘ସେବା ସେତୁ’ ଶିବିର ଆୟୋଜନ କରାଯାଉଛି। ଏହି ଶିବିରଗୁଡ଼ିକ ମାଧ୍ୟମରେ ଆବେଦନଠାରୁ ଆରମ୍ଭ କରି ସୋଲାର ସ୍ଥାପନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସହଜ କରିବା ସହ ଉପଭୋକ୍ତାଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ଦୂର କରିବାରେ ଏହି ଶିବିରଗୁଡ଼ିକ ସହାୟକ ହେଉଛି।

 

Leave A Reply

Your email address will not be published.