ଭୁବନେଶ୍ବର: ଓଡ଼ିଶା ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟ (ଟିବିପିଏମ୍)ରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।
ବେସରକାରୀ ଭାବେ କାମ କରିବା ପରେ ୨୦୧୪ ମସିହାରେ ଟେକ୍ଟବୁକ୍ ପ୍ରିଣ୍ଟିଂ ପ୍ରେସ୍ ମଜଦୁର ସଂଘ ସେମାନଙ୍କୁ ସରକାରୀ ବେତନ ସହ ନିୟମିତ କରିବାକୁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲା। ପରେ ହାଇକୋର୍ଟ ଉକ୍ତ କର୍ମଚାରୀଙ୍କୁ ନିୟମିତ କରିବାକୁ ରାୟ ଶୁଣାଇଥିଲେ ସେହି ସମୟରେ ହିଁ ବେସରକାରୀ ଭାବେ କାର୍ଯ୍ୟରତ କର୍ମଚାରୀମାନେ ବୟସରେ ଜାଲିଆତି କରିବା ସହ ସରକାରୀ ଚାକିରୀର ବୟସର ସୀମା ବଢ଼ାଇ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଟିବିପିଏମରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ବୟସରେ ହେଇଥିବା ଜାଲିଆତିକୁ ନେଇ ପାଠ୍ୟ ପୁସ୍ତକ ଛପା ମଜଦୁର ସଂଘର କିଛି କର୍ମଚାରୀ ପ୍ରଶ୍ନ ଉଠାଇଥିଲେ। ୨୦୧୪ ମସିହାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବେସରକାରୀ (ଡିଏଲଆର) କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ କରାଯାଇଥିଲା। ସେହି ସମୟରେ ଅନେକ କର୍ମଚାରୀ ନିଜ ବୟସ କମ୍ ଦର୍ଶାଇ ନିଯୁକ୍ତି ନେଇଥିବା ଅଭିଯୋଗ ହୋଇଛି। ଏହା ଦ୍ୱାରା ସେମାନେ ଚାକିରିର ଅବସର ବୟସ ସୀମାକୁ ବଢ଼ାଇ ବିଳମ୍ବରେ ଅବସର ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ଟିବିପିଏମ କାର୍ଯ୍ୟାଳୟରେ ପ୍ରାୟ ୪୦ରୁ ୪୫ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ରହିଛନ୍ତି। ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ସାମ୍ନାକୁ ଆସିବା ପରଠାରୁ ଟିବିପିଏମ ବର୍ଷ ତମାମ ଚର୍ଚ୍ଚାରେ ରହି ଆସିଛି।

