ଯାଜପୁର: ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଗୁରୁବାର ଭୋର ସମୟରେ ଯାଜପୁର ଜିଲ୍ଲାସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୋମା ଫିଙ୍ଗାଯିବା ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ପ୍ରଥମ ବିସ୍ଫୋରଣଟି ଭୋର ପ୍ରାୟ ୩ଟା ୩୦ ମିନିଟ୍ ସମୟରେ କଲେଜ ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀଙ୍କ ବାସଭବନ ନିକଟରେ ହୋଇଥିଲା। ଏକ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣି ଅଧ୍ୟକ୍ଷ ବାହାରକୁ ଦୌଡ଼ି ଆସିଥିଲେ।ପରେ ଚାରିଆଡ଼ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ପାଇଥିଲେ।
ଏହି ଘଟଣାକୁ ନେଇ ଅଧ୍ୟକ୍ଷ ତ୍ରିପାଠୀ ତୁରନ୍ତ ନିଜର ସହକର୍ମୀ ମାନଙ୍କ ସହ ଯୋଗାଯୋଗ କରି ସ୍ଥିତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ଏହାର କିଛି ସମୟ ପରେ କଲେଜ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ରାବାସ ନିକଟରେ ଆଉ ତିନିରୁ ଚାରୋଟି ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା, ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା।
ଅଧ୍ୟକ୍ଷ ତୁରନ୍ତ ଏହି ଘଟଣା ସମ୍ପର୍କରେ ଯାଜପୁର ରୋଡ୍ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଯାଜପୁର ରୋଡ୍ ଥାନା ଅଧିକାରୀ ଆଶିଷ କୁମାର ସାହୁ ଏକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୋଲିସ କଲେଜ ପରିସରରୁ ଅଫୁଟା ବୋମାଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।
ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ଏହି ବିସ୍ଫୋରଣ ଘଟିଥିବାରୁ କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧ୍ୟକ୍ଷ ଅକ୍ଷୟ ତ୍ରିପାଠୀ ବୋମା ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

