Latest Odisha News

BREAKING NEWS

ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ

ସମ୍ବଲପୁର:ପବିତ୍ର ମହାଳୟା ଅବସରରେ ମାଆ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ମା’ ସିନ୍ଦୁର ମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେଵଳ ଆଜିର ଦିନରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି । ପ୍ରତିବର୍ଷ ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ମହାଳୟା ଅମାବାସ୍ୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି ମା’ ସମଲେଶ୍ୱରୀ । ବିଶ୍ୱାସ ରହିଛି ଯେ, ଏହି ଦିନ ମାଆଙ୍କୁ ଦର୍ଶନ କଲେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ସହ ସମାନ ପୁଣ୍ୟଫଳ ମିଳିଥାଏ ଏବଂ ଭକ୍ତକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ଆଜିର ଦିନରେ ମା’ ସମଲେଶ୍ୱରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ମଧ୍ୟରାତ୍ରିରୁ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇ ଭୋର ସମୟରେ ଧବଳମୁଖୀ ବେଶ ସମ୍ପନ୍ନ ହୋଇଛି । ଧବଳମୁଖୀ ବେଶକୁ ଗଙ୍ଗା ଦର୍ଶନ ବୋଲି ମଧ୍ୟ କୁହାଯାଏ । ମା’ ଏହି ବେଶରେ ଅଢେଇ ଦିନ ପର୍ଯ୍ୟନ୍ତ ରୁହନ୍ତି ।

ସୂଚନାଥାଉକି, ଆଜି ଭୋର ୪ ଟାରୁ ମାନଙ୍କୁ ମନ୍ଦିରର ପୂଜକମାନେ ସ୍ନାନ କଲା ପରେ ମା’ଙ୍କୁ ଧବଳମୁଖୀ ବେଶରେ ସୁସଜ୍ଜିତ କରିଥିଲେ । ଏହାପରେ ପାରମ୍ପରିକ ରୀତିନୀତି ସହ ଧବଳମୁଖୀ ବେଶ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା । ଆଜିର ଭିଡ଼କୁ ନଜରରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ପାର୍କିଂ ଓ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଗୋଟିଏ ରାସ୍ତା ଦେଇ ଭକ୍ତମାନେ ପ୍ରବେଶ କରୁଥିବା ବେଳେ ଅନ୍ୟ ଏକ ରାସ୍ତା ଦେଇ ବାହାରକୁ ଯିବାର ବ୍ୟବସ୍ଥା ଥିଲା । ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁ ପୂଜା ଥାଳି ଧରି ମା’ଙ୍କ ଦର୍ଶନ ପାଇଁ ଯାଉଥିବାର ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.