ନୂଆଦିଲ୍ଲୀ: ପେସ ବୋଲର ମହମ୍ମଦ ସାମୀଙ୍କ ଏକ ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଭାରତୀୟ ଦଳରେ ସ୍ଥାନ ନ ପାଇବା ପରୋକ୍ଷରେ ଟିମ ଇଣ୍ଡିଆ ପାଇଁ କ୍ଷତି ବୋଲି କହିଛନ୍ତି । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ ଜାତୀୟ ଦଳରେ ସୁଯୋଗ ନ ମିଳିବା ନେଇ ଏକ ବଡ଼ ଏବଂ ସ୍ପଷ୍ଟ ବୟାନ ଦେଇଛନ୍ତି । ଘରୋଇ କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ ଏବଂ ଫିଟନେସ୍ ପ୍ରମାଣ କରିବା ସତ୍ତ୍ବେ ଦଳରୁ ବାଦ୍ ପଡ଼ିବା ପ୍ରସଙ୍ଗରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଏବଂ ନିଜର ଚୟନକୁ ନେଇ ସେ କହିଛନ୍ତି, ଗତ ଦୁଇ କିମ୍ବା ତିନି ବର୍ଷ ହେବ ମୋ ସହିତ ଏମିତି ହିଁ ଚାଲିଛି ।
ମୁଁ ଭଲ ପ୍ରଦର୍ଶନ କରୁଛି ଏବଂ ମୋର ଫିଟନେସ୍ ମଧ୍ୟ ପ୍ରମାଣ କରିସାରିଛି… ଯଦି ମୋତେ ଆଉ ଭାରତ ପାଇଁ ଖେଳିବାର ସୁଯୋଗ ନ ମିଳେ, ତେବେ ଏହା ମୋ ପାଇଁ କୌଣସି କ୍ଷତି ନୁହେଁ । ସାମୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ହାତରେ କେବଳ ଖେଳିବା ଏବଂ ଭଲ ପ୍ରଦର୍ଶନ କରିବା ଅଛି, ତେଣୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଘରୋଇ ଏବଂ ରଣଜୀ ମ୍ୟାଚ୍ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଫିଟନେସ୍ ପରୀକ୍ଷାରେ ପାସ୍ କରିବା ଏବଂ ଘରୋଇ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଚୟନକର୍ତ୍ତାଙ୍କ ଯୋଜନାରେ ସାମୀଙ୍କୁ ଅଣଦେଖା କରାଯାଉଥିବାରୁ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି।

