ଚମାଖଣ୍ଡି:ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଘଟିଥିବା ସିରିଜ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ବ୍ରହ୍ମପୁରର ରୋଜାଲିନ ରାଣୀ ମିଶ୍ର (ସେ ଛତ୍ରପୁରସ୍ଥିତ ଟ୍ରେଜେରୀ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ।), ନାଉଳି ଗାଁର ଲକ୍ଷ୍ମୀଧର ଗୌଡ଼ (୪୫) ଓ ଉତ୍ତର ପ୍ରଦେଶ କାନପୁରର ବିନୋଦ କୁମାର (୪୦) ।
ସୂଚନାଥାଉକି, ଚମାଖଣ୍ଡି ଛକ ନିକଟରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏକାଧିକ ବାଇକ୍କୁ ଧକ୍କା ଦେବାରୁ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ବାଇକ୍ ଆରୋହୀ ଆହତ ହୋଇଥିଲେ। ଟ୍ରକ୍ ଚକା ତଳେ ୫ ବାଇକ୍ ଚୁରମାର ହୋଇ ଯାଇଥିଲା ।

