ବ୍ରହ୍ମପୁର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ ଅଭିଯୋଗରେ ଆଜି ଗୋସାଣୀନୂଆଗାଁ ଥାନାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କୁ ପାଖାପାଖି ଦେଢ଼ ଘଣ୍ଟା ଧରି ଜେରା କରିଥିଲା ପୋଲିସ। ଉକ୍ତ ଥାନାରେ ୨୮ ତାରଖରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା କରାଯିବ ବୋଲି ଜଣାଯାଇଛି।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ରେ ବାରମ୍ବାର ଫୋନ କଲ କରି ସାକ୍ଷୀଙ୍କୁ କେତେବେଳେ ଧମକ ତ ପୁଣି କେତେବେଳେ ପ୍ରଲୋଭନ ଦେଖାଇଥିବା ସାକ୍ଷୀଙ୍କ ଦ୍ୱାରା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଆଉ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ତିନିଘଣ୍ଟାର ଜେରା ପରେ ଡାକ୍ତର ସବୁ ସତ ମାନିଥିଲେ। ତେଣୁ ସାକ୍ଷୀଙ୍କୁ ଧମକ ଦେବାରେ ସହଯୋଗ ଅଭିଯୋଗରେ ରାଜ୍ୟ ସରକାର ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଥିଲେ | ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ଏତଲା ରୁଜୁ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ।
ସୂଚନାନୁଯାୟୀ,ଲଳିତ ମଙ୍ଗରାଜ ଏନେଇ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୋଲିସ ବିକ୍ରମ ପଣ୍ଡାଙ୍କୁ ନୋଟିସ୍ ଜାରି କରି ଥାନାକୁ ଡାକିଥିଲା। ନୋଟିସ୍ ଅନୁଯାୟୀ ସେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପୁଲିସର ପ୍ରଶ୍ନର ଉତ୍ତର ଦେଇଥିବା କହିଛନ୍ତି । ଥାନାରୁ ବାହାରିବା ପରେ ବିକ୍ରମ ପଣ୍ଡା କହିଛନ୍ତି ଯେ, ପୁଲିସ ଯାହା ପଚାରିଲା, ସେ ସବୁ କହିଛନ୍ତି ଏବଂ ତଦନ୍ତରେ ସହଯୋଗ କରିଛନ୍ତି । ଅନ୍ୟପଟେ, ଆସନ୍ତା ୨୮ ତାରିଖରେ ପୁଣି ଥାନାରେ ହାଜର ହେବାକୁ କୁହାଯାଇଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।

