ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ତାରକା ତଥା ଆଇପିଏଲ୍ ଇତିହାସର ସର୍ବାଧିକ ୱିକେଟ୍-ଟେକର ଯୁଜବେନ୍ଦ୍ର ଚହଲ ନିଜର ବ୍ୟକ୍ତିଗତ ଜୀବନର କଠିନ ସମୟ ଏବଂ ମାନସିକ ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି । ଏକ ପୋଡ୍କାଷ୍ଟରେ ସେ ନିଜର ମଦ୍ୟପାନ ସମସ୍ୟା, ଡିଭୋର୍ସ ପରବର୍ତ୍ତୀ ମାନସିକ ଅବସ୍ଥା ଏବଂ ପ୍ୟାନିକ୍ ଆଟାକ୍ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଚହଲ କହିଛନ୍ତି ଯେ ତାଙ୍କର ଡିଭୋର୍ସ ପରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଇଥିଲା ଏବଂ ମଦ୍ୟପାନ ମାତ୍ରା ଅତିକ୍ରମ କରିଯାଇଥିଲା । ଯେତେବେଳେ ସେ ଅନୁଭବ କଲେ ଯେ ଏହା ତାଙ୍କର ସବୁଠାରୁ ପ୍ରିୟ କ୍ରିକେଟ୍ କ୍ୟାରିୟରକୁ ନଷ୍ଟ କରିଦେଇପାରେ, ସେ ସ୍ବେଚ୍ଛାରେ ଏକ ରିହାବ୍ ସେଣ୍ଟରକୁ ଯାଇଥିଲେ ଏବଂ ସେଠାରେ ୨୬ ଦିନ ବିତାଇଥିଲେ । ଏହି ପଦକ୍ଷେପ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିବା ସେ ପ୍ରକାଶ କରିଛନ୍ତି ।
ବ୍ୟକ୍ତିଗତ ଜୀବନରେ ଝଡ଼ ଏବଂ ସୋସିଆଲ ମିଡିଆର ପ୍ରବଳ ଟ୍ରୋଲିଂ ଯୋଗୁଁ ତାଙ୍କୁ ଗମ୍ଭୀର ଚିନ୍ତା ଏବଂ ପ୍ୟାନିକ୍ ଆଟାକର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେ କହିଛନ୍ତି ଯେ ପ୍ୟାନିକ୍ ଆଟାକ୍ ସମୟରେ ତାଙ୍କର ହୃଦସ୍ପନ୍ଦନ ବଢ଼ିଯାଉଥିଲା, ମୁହଁ ଶୁଖିଯାଉଥିଲା ଏବଂ କଥା ହେବା ମଧ୍ୟ କଷ୍ଟକର ହୋଇପଡ଼ୁଥିଲା । ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ସେହି ବର୍ଷ କ୍ରିକେଟ୍ରୁ କିଛି ସମୟ ପାଇଁ ବିରତି ନେଇଥିଲେ । ପରିବାର ଏବଂ ସବୁଠାରୁ ଭଲ ବନ୍ଧୁଙ୍କ ସମର୍ଥନ ଯୋଗୁଁ ସେ ପୁଣି ଥରେ ନିଜକୁ ସମ୍ଭାଳିଥିଲେ ଏବଂ ଆଇପିଏଲ୍ରେ ଜଣେ ଫିଟ୍ ଏବଂ ଅଧିକ ପରିପକ୍ୱ ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ ।

