ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି(Honorarium) ମଂଜୁର କରିଛନ୍ତି । ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଂଜୁର ହୋଇଛି ।
ସୂଚନାଯୋଗ୍ୟ ଯେ, ଏହି ଅର୍ଥ ୨୦୨୬ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଛଅ ମାସର ସମ୍ମାନ ରାଶି ବାବଦରେ ପ୍ରଦାନ କରାଯିବ । ମଞ୍ଜୁର ହୋଇଥିବା ଅର୍ଥ ଅନୁଯାୟୀ, ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ହିସାବରେ ସମ୍ମାନ ରାଶି ପାଇବେ । ଏହି ଅର୍ଥ ୬ ମାସର ଅବଧି ପାଇଁ ପ୍ରଦାନ କରାଯିବ । ରାଜ୍ୟର ଗ୍ରାମାଞ୍ଚଳରେ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ, ଗ୍ରାମର ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି ।

