Sand Art of Goddess Durga: ବାଲିରେ ଫଳ ଏବଂ ପରିବାରେ ଝଟକୁଛନ୍ତି ମା’ ଦୁର୍ଗା, ପୁରୀ ବେଳାଭୂମିରେ ନିଜର ନିଆରା କଳାକୃତିରେ ଜଗତଜନନୀଙ୍କୁ ଧରାପୃଷ୍ଠକୁ ସ୍ବାଗତ ଜଣାଇଲେ ସୁଦର୍ଶନ…
ପୁରୀ: ପୁରୀ ବେଳାଭୂମିରେ ମା’ ଦୁର୍ଗାଙ୍କ ନିଆରା ରୂପ! ବାଲି ସହ ୩୨ ପ୍ରକାର ଫଳ ଓ ପନିପରିବାକୁ ବ୍ୟବହାର କରି ମା’ଙ୍କ ଏକ ସୁନ୍ଦର କଳାକୃତି ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ। ଦଶହରା ଅବସରରେ ଶନିବାର ସେ ପୁରୀ ସମୁଦ୍ରକୂଳରେ ଏହି ୧୦ ଫୁଟ୍ ଉଚ୍ଚତାର ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି କଳାକୃତିକୁ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକ ଓ ଦର୍ଶକଙ୍କ ଭିଡ଼ ଜମିଛି।
ଏହି ସ୍ୱତନ୍ତ୍ର କଳାକୃତି ନିର୍ମାଣ ପାଇଁ ପ୍ରାୟ ୮ ଟନ୍ ବାଲି ବ୍ୟବହାର କରାଯାଇଛି। ଏହା ସହ ୨୨ ପ୍ରକାର ପନିପରିବା ଓ ୧୦ ପ୍ରକାର ଫଳକୁ ମିଶାଇ ମୋଟ ୩୨ ପ୍ରକାରର ପ୍ରାକୃତିକ ସାମଗ୍ରୀରେ ମା’ ଦୁର୍ଗାଙ୍କ ରୂପକୁ ଜୀବନ୍ତ କରିବାକୁ ଉଦ୍ୟମ କରିଛନ୍ତି ଶିଳ୍ପୀ ସୁଦର୍ଶନ। ଏହା କେବଳ ଏକ ବାଲୁକା କଳା ନୁହେଁ, ବରଂ ପ୍ରକୃତି ଓ ପରମ୍ପରାର ଏକ ଅନନ୍ୟ ସମନ୍ୱୟ।
କଳାକୃତିରେ ଇଂରାଜୀରେ “Happy Durga Puja” ବା ‘ଦୁର୍ଗାପୂଜାର ଶୁଭେଚ୍ଛା’ ବାର୍ତ୍ତା ମଧ୍ୟ ଦିଆଯାଇଛି। ଏହା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭକାମନା ଜଣାଇଛନ୍ତି।
ଏହି କଳାକୃତି ପଛର ଚିନ୍ତାଧାରା ବିଷୟରେ ସୁଦର୍ଶନ କହିଛନ୍ତି ଯେ, ସେମାନେ ୩୨ ପ୍ରକାର ଫଳ ଓ ପନିପରିବାକୁ ବାଲି ସହ ମିଶାଇ ଏହି କଳା ତିଆରି କରିଛନ୍ତି। ସମସ୍ତେ ମା’ଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ଚାହାନ୍ତି। ତେଣୁ ବାଲି ଓ ପ୍ରକୃତିକୁ ଏକାଠି କରି ମା’ଙ୍କ ଏହି ନିଆରା ରୂପ ଗଢ଼ାଯାଇଛି। ମା’ ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ ଅତୁଟ ରଖନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
ଦୁର୍ଗାପୂଜାର ଆଧ୍ୟାତ୍ମିକ ଭାବନା ସହ ପ୍ରକୃତିର ଉପାଦାନକୁ ଯୋଡ଼ି ସୁଦର୍ଶନ ପଟ୍ଟନାୟକ ପୁଣିଥରେ ନିଜର କଳା ମାଧ୍ୟମରେ ଏକ ନିଆରା ବାର୍ତ୍ତା ଦେଇଛନ୍ତି। ତାଙ୍କର ଏହି ସୃଜନଶୀଳ ପ୍ରୟାସ ପୁରୀ ବେଳାଭୂମିରେ ଦଶହରାର ଉତ୍ସବକୁ ଆହୁରି ଆକର୍ଷଣୀୟ କରିଛି।

